ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ହେବ ପୁନଃପ୍ରତିଷ୍ଠା – ଧର୍ମେନ୍ଦ୍ର ପ୍ରଧାନ

ଆମେରିକାର ନୂଆ ଉର୍ଜା ସଚିବଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଥମ ଭର୍ଚୁଆଲ୍ ବୈଠକ

ନୂଆଦିଲ୍ଲୀ/ଭୁବନେଶ୍ୱର :  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରାରମ୍ଭିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ନୂଆ ପଦରେ ଅବସ୍ଥାପିତ ପାଇଁ ଅଭିନନ୍ଦନ ଜଣାଇବା ସହ ଭାରତ ଓ ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କ ଉପରେ ସମୀକ୍ଷା କରିଥିଲେ ।

 ଆମେରିକାର ନୂଆ ଉର୍ଜା ସଚିବ ଜେନିଫର ଗ୍ରାନହୋଲମଙ୍କୁ ଅଭିନନ୍ଦନ ଜଣାଇଲେ
 ସ୍ୱଚ୍ଛ ଇନ୍ଧନ ଉପରେ କାମ କରିବା ନେଇ ଉଭୟ ପକ୍ଷର ସହମତି
ଉଭୟ ନେତୃତ୍ୱ ଭାରତ-ଆମେରିକା ମଧ୍ୟରେ ରଣନୈତିକ ଉର୍ଜା ସମ୍ପର୍କର ପୁନଃପ୍ରତିଷ୍ଠାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡ଼େନଙ୍କ ନୂଆ ପ୍ରାଥମିକତାରେ ପ୍ରତିଫଳିତ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ସ୍ୱଚ୍ଛ ଉର୍ଜାର ପ୍ରଚାରପ୍ରସାର କରିବା, କମ ପ୍ରଦୂଷଣଯୁକ୍ତ ମାର୍ଗ ଆପଣାଇବା
ଏବଂ ସବୁଜ ଉର୍ଜା ସହଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ କାମ କରିବା ପାଇଁ ଶ୍ରୀ ପ୍ରଧାନ ଏବଂ ଆମେରିକାର ସଚିବ ସହମତି ପ୍ରକାଶ କରିଛନ୍ତି ।
ସେହିପରି ଅନ୍ୟାନ୍ୟ ପଦକ୍ଷେପ ମଧ୍ୟରେ ସ୍ୱଚ୍ଛ ଉର୍ଜା କ୍ଷେତ୍ର ଯଥା ଜୈବଇନ୍ଧନ, କାର୍ବନ କ୍ୟାପଚର ଆଣ୍ଡ୍‌ ଷ୍ଟୋରେଜ(ସିସିୟୁଏସ), ହାଇଡ୍ରୋଜେନ ଉତ୍ପାଦନ ଏବଂ କାର୍ବନ ଅଧିଗ୍ରହଣ ଏବଂ ଆଡଭାନ୍ସ କ୍ଲିନ୍ ଏନର୍ଜି ରିସର୍ଚ୍ଚ (ପିଏସିଇ-ଆର)ରେ ମିଳିତ ସହଯୋଗକୁ ପ୍ରାଥମିକତା ଦେବାକୁ ଉଭୟ ମନ୍ତ୍ରୀ ସହମତି ହୋଇଥିଲେ । ଶୀଘ୍ର ଭାରତ-ଆମେରିକାର ଋଣନୈତିକ ଉର୍ଜା ସମ୍ପର୍କର ତୃତୀୟ ବୈଠକ ଅନୁଷ୍ଠିତ ହେବା ନେଇ ମଧ୍ୟ ଉଭୟ ପକ୍ଷ ସହମତି ପ୍ରଦାନ କରିଥିଲେ ।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ମାସରେ ଜେନିଫର ଗ୍ରାନହୋଲମ ଆମେରିକାର ଉର୍ଜା ସଚିବ ଭାବରେ
ଦାୟିତ୍ୱ ଗ୍ରହଣ କରିଥିଲେ ।