ବିଜେପିକୁ ଜିତାଇ ପଶ୍ଚିମବଙ୍ଗରେ ସୁନାର ବଙ୍ଗଳା ତିଆରି କରିବା ପାଇଁ ମାତୃଶକ୍ତି କଟିବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ
ପଶ୍ଚିମବଙ୍ଗରେ ବିଶାଳ ମାତୃଶକ୍ତି ଜନାସଭାକୁ ସମ୍ବୋଧିତ କଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର : ପଶ୍ଚିମବଙ୍ଗର ମାତୃଶକ୍ତି ତଥା ମାଆ ଭଉଣୀମାନେ ଚଳିତ ନିର୍ବାଚନରେ ଟିଏମସିର ୧୦ ବର୍ଷର ଶାସନକୁ ପରିବର୍ତନ କରିବା ସହ ବିଜେପି ପ୍ରାର୍ଥୀଙ୍କ ବିଜୟକୁ ସୁନିଶ୍ଚିତ କରି ସୁନାର ବଙ୍ଗଳା ତିଆରି କରିବା ପାଇଁ କଟିବଦ୍ଧ ଅଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶନିବାର ପଶ୍ଚିମବଙ୍ଗ ନନ୍ଦିଗ୍ରାମର ସୋନଚୁରା, ବେରୁଲିଆ ବଜାର, ଗୋପାଳପୁର ଓ ଦେବୀପୁର ଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ସମର୍ଥନରେ ଆୟୋଜିତ ମାତୃଶକ୍ତି ଜନସଭା ଏବଂ ନିର୍ବାଚନୀ ଶୋଭାଯାତ୍ରାରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମାତୃଶକ୍ତି ଆଜି ମମତା ଦିଦିଙ୍କୁ ୧୦ ବର୍ଷ ଶାସନର ହିସାବ ମାଗୁଛନ୍ତି କିନ୍ତୁ ମମତା ଦିଦି ହିସାବ ଦେବା ବଦଳରେ ଲୋକଙ୍କ ସହ ଖେଳ ଖେଳୁଛନ୍ତି ।
ସୋନଚୁରା, ବେରୁଲିଆ ବଜାର, ଗୋପାଳପୁର ଓ ଦେବୀପୁର ଠାରେ ବିଶାଳ ମାତୃଶକ୍ତି ଜନସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ମମତା ଦିଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଅବସ୍ଥା ଶୋଚନୀୟ ହୋଇଛି
ଟିଏମସିର କୁଶାସନ ବିରୋଧରେ ମାତୃଶକ୍ତିଙ୍କ ରାଗ ଆକ୍ରୋଶର ରୂପ ନେଇଛି
ବିଶ୍ୱକୁ ଶାନ୍ତି ଏବଂ ମାନବିକତାର ସଂସ୍କାର ଦେଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଗୁରୁଦେବ ରବିନ୍ଦ୍ରନାଥ ଟାଗୋର, ବଙ୍କିମଚନ୍ଦ୍ର ଚାଟାର୍ଜୀ ଏବଂ ମତଙ୍ଗିନି ହାଜାରଙ୍କ ଭଳି ମହାନ ବ୍ୟକ୍ତିବିଶେଷଙ୍କ ପବିତ୍ର ମାଟି ପଶ୍ଚିମବଙ୍ଗ ଆଜି ରକ୍ତରଞ୍ଜିତ ହୋଇଛି । ମମତା ଦିଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଅବସ୍ଥା ଶୋଚନୀୟ ହୋଇଛି ।
ସୋନାଚୁରା ଓ ନନ୍ଦିଗ୍ରାମରେ ଟିଏମସିର ୧୦ ବର୍ଷର କୁଶାସନ ବିରୋଧରେ ମାତୃଶକ୍ତିଙ୍କ ରାଗ ଆଜି ଆକ୍ରୋଶର ରୂପ ନେଇଛି । ଏଠାକାର ମାଆ ଏବଂ ଭଉଣୀମାନେ ନନ୍ଦିଗ୍ରାମର ଅପମାନ କରିଥିବା ଲୋକ ତଥା କଟମନୀ ଦେଉଥିବା ଲୋକଙ୍କୁ ଠିକ୍ ଉତର ଦେବା ପାଇଁ ମନ ବନାଇ ସାରିଛନ୍ତି । ପଶ୍ଚିମବଙ୍ଗରେ ବିଜେପି ଓ ଶୁଭେନ୍ଦୁ ଅଧିକାରୀଙ୍କୁ ଜିତାଇ ସୋନଚୁରା ଓ ନନ୍ଦିଗ୍ରାମର ମାଆ ଭଉଣୀମାନେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିର୍ଣ୍ଣୟ କରି ସାରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।