ଅନୁଗୁଳ ଜିଲ୍ଲା ଓ ଆଖପାଖ ଅଂଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବେ ଉପକୃତ ହେବେ : ଧର୍ମେନ୍ଦ୍ର ପ୍ରଧାନ

ତାଳଚେର ଏମସିଏଲ୍ ହସ୍ପିଟାଲ କୋଭିଡ଼୍ ହସ୍ପିଟାଲରେ କାର୍ଯ୍ୟକ୍ଷମ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

ଭୁବନେଶ୍ୱର :  ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଟ୍ୱିଟ୍‌ ଯୋଗେ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଗତ ଏପ୍ରିଲ ୨୦ ତାରିଖରେ ଏ ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
 ମେଡିକାଲରେ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ
 ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି ପ୍ରଧାନମନ୍ତ୍ରୀ
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବର୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । ଏମଏସଏଲର ଏହି ପଦକ୍ଷେପ ଦ୍ୱାରା ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଂଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ ।
ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ପତ୍ର ଲେଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼-୧୯ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିବା ପାଇଁ ଅନୁରୋଧ କରିବା ସହ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ । ଦେଶରେ ଦ୍ରୁତ ଗତିରେ ବଢୁଥିବା କୋଭିଡ -୧୯ ର ମାମଲା ଗୁଡ଼ିକର ଚିକିତ୍ସା ପାଇଁ ସମସ୍ତ ଉପଲବ୍ଧ ସ୍ୱାସ୍ଥ୍ୟ ଭିତିଭୂମିକୁ ବୃଦ୍ଧି କରିବା ଆବଶ୍ୟକ । ତେଣୁ ଅନୁଗୁଳ ଜିଲ୍ଲାରେ କୋଭିଡ୍ ମାମଲା ବଢ଼ୁଥିବା ବେଳେ ଏଠାରେ ଜରୁରୀକାଳୀନ ମେଡ଼ିକାଲ ଭିତିଭୂମିକୁ କାର୍ଯ୍ୟକ୍ଷମ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଥିଲେ ।