ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧ୍ୟୟନ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର/ରେଢାଖୋଲ :  ମହିମା ଧର୍ମର ମହାନ ପ୍ରଚାରକ ତଥା ଓଡିଆ ସାହିତ୍ୟ ଓ ଧାର୍ମିକସାମାଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିବା ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ତାଙ୍କ ଦର୍ଶନ ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ୟୁନିଭରସିଟି ଗ୍ରାଂଟ୍ସ କମିଶନ(ୟୁଜିସି)କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା,
ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ୟୁଜି ଏବଂ ପିଜି ପାଠ୍ୟକ୍ରମରେ ସନ୍ଥକବି ଭାମ ଭୋଇଙ୍କ ଜୀବନୀକୁ ସାମିଲ ପାଇଁ ଉଦ୍ୟମ କରାଯିବ
 ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ ୟୁଜିସି
 ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଉପରେ ଉଚ୍ଚତର ଗବେଷଣା କରାଯିବ
 ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସ୍ଥାପନ ହେବ ସନ୍ଥ କବି ଭୀମ ଭୋଇ ଚେୟାର
 ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ଅବସରରେ ମୋଦି ସରକାରଙ୍କ ଏହା ବଡ଼ ଦାୟିତ୍ୱ
 ସନ୍ଥ କବିଙ୍କ କାଳଜୟୀ ବିଚାର “ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”ଜାତିସଂଘର ମୁଖ୍ୟାଳୟରେ ଲିପିବଦ୍ଧ ହୋଇଛି

 

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଠାରେ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ଅବସରରେ ଶ୍ରୀ  ପ୍ରଧାନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ସନ୍ଥ କବି ଭୀମ ଭୋଇଙ୍କୁ ଜଣେ ସର୍ବତୋମ ବିଚାରକ ଭାବେ ପ୍ରମାଣିତ କରିବା ପାଇଁ ଉଦ୍ୟମ କରାଯିବ । ଭାରତ ସରକାରଙ୍କ ୟୁଜିସି ଏହି ମହାପୁରୁଷଙ୍କ ‘ମହିମା ଧର୍ମ’ର ବିଚାର ସମ୍ପର୍କରେ ଅଧ୍ୟୟନ କରିବ । ଉଚ୍ଚତର ଗବେଷଣା କରାଯିବା ସହ ୟୁଜି ଏବଂ ପିଜି ପାଠ୍ୟକ୍ରମରେ ଅନ୍ତର୍ଭୃକ୍ତ କରାଯିବ । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ଭୀମ ଭୋଇ ଚେୟାର ସ୍ଥାପନ ହେବ । ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କୁ ସମ୍ମାନ ଦେବା ପାଇଁ ସବୁପ୍ରକାର ଉଦ୍ୟମ କରିବା ପାଇଁ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ଦ୍ୱାରା ଶତାବ୍ଦୀ ଶତାବ୍ଦୀରୁ ପଛୁଆ ଅଂଚଳରୁ ଆରମ୍ଭ ହୋଇଥିବା ମହାନ୍ ବିଚାର ଅନ୍ତରାଷ୍ଟ୍ରୀୟ ସ୍ତରକୁ ଯିବ । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ପାଳନ ଅବସରରେ ଏହା ମୋଦି ସରକାରଙ୍କ ବଡ଼ ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” । ସନ୍ଥ କବିଙ୍କ ଏହି କାଳଜୟୀ ବିଚାର ଜାତିସଂଘର ମୁଖ୍ୟାଳୟରେ ଲିପିବଦ୍ଧ ହୋଇ ରହିଛି । ବିଶ୍ୱ ଏହି ଦର୍ଶନରେ ଅନୁପ୍ରାଣିତ ହେଲେ, ଏହା ହିଁ ହେବ ସନ୍ଥ କବି ଭୀମ ଭୋଇଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ସନ୍ଥକବିଙ୍କ ଜୀବନ ଆଦର୍ଶରେ ଓଡ଼ିଆ ଜାତି ସର୍ବଦା ଅନୁପ୍ରାଣିତ ହୋଇ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Union Minister pays tribute to Santha Kabi Bhima Bhoi at Rairakhol