ଓଡ଼ିଶାରେ କେନ୍ଦ୍ର ମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟେ: ଧାରା ୩୭୦ ଉଚ୍ଛେଦ କରି ନୂଆ ଇତିହାସ ସୃଷ୍ଟି କରିଛୁ

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ତା’ର ଦ୍ୱିତୀୟ ପାଳିରେ ୧୦୦ ଦିନ ପୂରଣ କରିଛି । ଦେଶର ସର୍ବାଙ୍ଗୀନ ଉନ୍ନତିରେ ମୋଦୀ ସରକାରଙ୍କ ବିଶେଷ ଅବଦାନ ରହିଛି । ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ଏକ ନୂଆ ଇତିହାସ ସୃଷ୍ଟି କରିଛୁ । ସେହିପରି ପ୍ରତିରକ୍ଷା, ଦୂରସଞ୍ଚାର ଓ ବିଦେଶ ନୀତିରେ ବୈପ୍ଳବିକ ପରିବର୍ତ୍ତନ ଆଣିଛୁ ବୋଲି ଆଜି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମୋଦୀ ସରକାର ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ୧୦୦ ଦିନରେ ଦେଶର ହିତ ପାଇଁ ବହୁ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗତ ବଜେଟ୍‌ ଅଧିବେଶନରେ ସର୍ବାଧିକ ଦିନ ଧରି ସଂସଦ ଚାଲିଥିଲା । ଯାହା ବିଗତ ୨୦ ବର୍ଷରେ ହୋଇ ନାହିଁ । ବିଜେପି ସରକାର ଲୋକଙ୍କୁ କ୍ଷତି ପହଁଚାଉଥିବା ୫୮ଟି ଆଇନକୁ ହଟାଇ ଦେଇଛନ୍ତି ଏବଂ ନୂତନ ଆଇନ ପ୍ରଣୟନ କରିଛନ୍ତି । ବଡ଼ ଐତିହାସିକ ପଦକ୍ଷେପ ହେଲା ଜାମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ । ଜାମ୍ମୁ ଓ କାଶ୍ମୀର ବାସିନ୍ଦା ଆଜି ନିଜର ହକ୍‌ ପାଇଛନ୍ତି । ସରକାରୀ ଯୋଜନା ଆଉ ଅପହଞ୍ଚ ହୋଇ ରହି ନାହିଁ । ସେହିପରି ଆତଙ୍କାବାଦୀଙ୍କ ନିରସ୍ତ୍ର କରିବାକୁ ଉଦ୍ୟମ ଜାରି ରହିଛି । ଆତଙ୍କାବାଦୀଙ୍କୁ ଚିହ୍ନଟ କରି ତାଙ୍କୁ ଦଣ୍ଡିତ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନ୍‌ଆଇଏକୁ ସଶକ୍ତ କରାଯାଇଛି । ଏନ୍‌ଆଇଏ ଆବଶ୍ୟକ ମୁତାବକ ସ୍ୱତନ୍ତ୍ରଭାବେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବ । ସେହିପରି ଡିଫେନ୍ସ ଷ୍ଟାପ୍‌ ଗଠନ କରାଯାଇଛି । ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ଆପାଚେ ଯୁଦ୍ଧ ବିମାନ ସେନାରେ ସାମିଲ ହୋଇପାରିଛି ।

ସେହିପରି ସବୁ ବର୍ଗର ବିକାଶ ହେଲେ ନ୍ୟୁଉ ଇଣ୍ଡିଆର ସ୍ୱପ୍ନ ପୂରଣ ହୋଇପାରିବ । ଦେଶର ସବୁ ବର୍ଗର ଲୋକଙ୍କୁ ସାମାଜିକ, ଆର୍ଥିକ, ଓ ଭୌଗୋଳିକ କ୍ଷେତ୍ରରେ ସମାନ ସୁଯୋଗ ମିଳିବା ନେଇ ପ୍ରୟାସ ଜାରି ରହିଛି । ସେଥିପାଇଁ ଆଦିବାସୀ ବର୍ଗର ପିଲାଙ୍କ ଶିକ୍ଷା ପାଇଁ ୧୫୦ ଟି ଏକଲବ୍ୟ ଆଦିବାସୀ ସ୍କୁଲ ପ୍ରତିଷ୍ଠା କରାଯାଇଛି ବୋଲି ମନସୁଖ୍‌ ।