ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ପାଇଁ ଭାରତ ପ୍ରସ୍ତୁତ – ଧର୍ମେନ୍ଦ୍ର ପ୍ରଧାନ

ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡର ଉଦଘାଟନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍‌ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଯାଇଛି । ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରୀ ଉତ୍ପାଦନ କରିବା ଏବଂ ବ୍ୟବହାରଯୁକ୍ତ ଆଲୁମିନିୟମର
ପୁନଃବ୍ୟବହାର କରିବା ପାଇଁ ଆଗାମୀ ଦିନରେ ଯୋଜନା ରଖାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

 ଭିସି ଜରିଆରେ ଇସ୍ରାଏଲର ଉର୍ଜା ମନ୍ତ୍ରୀଙ୍କ ଉପସ୍ଥିତିରେ ଉଦ୍‌ଘାଟନ
 ବ୍ୟବସାୟୀକରଣ ହେବ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି
 ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୋଥ ଉଦ୍ୟୋଗ ଆଇସି ଫିନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌
 ବିଦ୍ୟୁତଚାଳିତ ଯାନବାହାନ ପାଇଁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଯିବ
 ଭାରତୀୟ ଅଟୋ ଓଇଏମର ଲେଟର ଅଫ୍ ଇଂଟେଟ୍ ନେଇ ଚୁକ୍ତି ସ୍ୱାକ୍ଷର
ଉଲ୍ଲେଖନୀୟ ଯେ, ଆଇସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୋଥ ଉଦ୍ୟୋଗ । ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ୍ ଉତ୍ପାଦନକାରୀ କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରୀ ଟେକ୍ନୋଲୋଜି ଯୋଗାଇବ । ଇଣ୍ଡିଆନ ଅଏଲ ଏବଂ ଫିନର୍ଜି କମ୍ପାନୀ ସ୍ୱଚ୍ଛ, ସ୍ଥାୟୀ, ସୁଲଭ ଏବଂ ସୁରକ୍ଷିତ ଉର୍ଜାକୁ ଗୁରୁତ୍ୱ ଦେଇ ଏହାକୁ ଉପଲବ୍ଧ କରିବା ସହ ନୂଆ ଯାତ୍ରା ଆରମ୍ଭ କରିଥିବାରୁ ଏହି ଦୁଇ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଯେ ଅଟୋମୋଟିଭ୍ କ୍ଷେତ୍ରରେ ଆଲୁମିନିୟମ ଏୟାର ଟେକ୍ନୋଲୋଜିର ବ୍ୟବସାୟକୁ ସହଯୋଗ କରିବା ପାଇଁ ଇଣ୍ଡିଆନ ଅଏଲ-ଫିନର୍ଜି ପ୍ରାଇଭେଟ ଲିମିଟେଡ୍ ସହ ଅଟୋମୋଟିଭ୍‌ ଉତ୍ପାଦନକାରୀ ମାରୁତି ସୁଜୁକି ଏବଂ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଲେଟର ଅଫ୍ ଇଂଟେଟ୍ ନେଇ ମଧ୍ୟ ଆଜି ଚୁକ୍ତି ହୋଇଯାଇଛି । ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ଉପଲବ୍ଧି । ଏହି ଟେକ୍ନୋଲୋଜି ପରିବହନ କ୍ଷେତ୍ରରେ ପ୍ରଦୂଷଣ କମାଇବାରେ ସହାୟକ ହେବ ।
ଏହି ଯୌଥ ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ମଧ୍ୟରେ ନୂଆଦିଲ୍ଲୀ ଠାରେ ୨୦୧୮ ରେ ହୋଇଥିବା ବୁଝାମଣା ପତ୍ର(ଏମଓୟୁ)ର ପ୍ରତିଫଳନ । ପ୍ରଦୂଷଣ କମ କରିବା ଭଳି ଉର୍ଜା ମାଧ୍ୟମରେ ଭାରତ ଜଳବାୟୁ ପରିବର୍ତନକୁ ହ୍ରାସ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦର୍ଶାଇଛି । ଏହା ଭବିଷ୍ୟତ ପାଇଁ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ।
ଏହି ପଦକ୍ଷେପ ଆଲୁମିନିୟମ ଏୟାର ବ୍ୟାଟେରୀ ପରିସଂସ୍ଥାନର ସ୍ୱଦେଶୀ ବିକାଶକୁ ସୁବିଧା ପ୍ରଦାନ କରିବା ସହ ବିଦ୍ୟୁତଚାଳିତ ଯାନବାହାନର ଟେକ୍ନୋଲୋଜି କ୍ଷେତ୍ରରେ ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବ । ଏହାସହ ଅନ୍ୟାନ୍ୟ ସ୍ୱଚ୍ଛ ଉର୍ଜା ଦିଗରେ ଗବେଷଣା ଏବଂ ବିକାଶ, ଟେକ୍ନୋଲୋଜି ଟ୍ରାନ୍ସଫର, ପୁଞ୍ଜିନିବେଶ, କ୍ଷମତା ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।