ପ୍ରଧାନମନ୍ତ୍ରୀଙ୍କ ‘ଦେଖୋ ଅପନା ଦେଶ\’ ଅଭିଯାନରେ ଇକୋ-ରିଟ୍ରିଟ୍ ବହୁତ ଭଲ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ

ଦୁଇଦିନିଆ କେନ୍ଦ୍ରାପଡା ଗସ୍ତକାଳରେ ଭିତରକନିକାର ଇକୋ-ରିଟ୍ରିଟ୍‌ରେ ରାତ୍ରିଯାପନ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରାପଡ଼ା :  ଦୁଇ ଦିନିଆ କେନ୍ଦ୍ରାପଡା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଠାରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଇକୋ-ରିଟ୍ରିଟର କଟେଜରେ ରାତ୍ରୀଯାପନ କରିବା ସହ ରବିବାର ସକାଳୁ ଭିତରକନିକା ଜାତୀୟ ଉଦ୍ୟାନ ବୁଲି ଦେଖି ନିଜ ଅନୁଭୂତି ସମ୍ପର୍କରେ କହିଛନ୍ତି ।
ଶ୍ରୀ ପ୍ରଧାନ ଇକୋ ରିଟ୍ରିଟ୍ ଆୟୋଜନ ହେବା ସମ୍ପର୍କରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଦେଖୋ ଅପନା ଦେଶ୍‌’ ଅଭିଯାନରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଇକୋ-ରିଟ୍ରିଟ୍ ବହୁତ ଭଲ ପଦକ୍ଷେପ । ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ୫ଟି ସ୍ଥାନରେ ଆୟୋଜିତ ହୋଇଯାଇଥିବା ଇକୋ-ରିଟ୍ରିଟ ମଧ୍ୟରୁ ଭିତରକନିକା ଅନ୍ୟତମ । ପରିବେଶକୁ ପ୍ରାଥମିକତା ରଖି ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ, ଇକୋ-ରିଟ୍ରିଟ୍ ଏହାର ଗୋଟିଏ ବଡ଼ ପ୍ରମାଣ ।

 ଭିତରକନିକାର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଅବଗତ କରାଯିବ
 ବୋଟରେ ବସି ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କଲେ କେନ୍ଦ୍ରମନ୍ତ୍ରୀ
 ଇକୋ ରି-ରିଟ୍ରିଟ୍ ଏବଂ ଭିତରକନିକାରେ ସାଧାରଣ ପର୍ଯ୍ୟଟକଙ୍କ ସହ କଥା ହେଲେ
 ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିତରକନିକାର ପ୍ରଚାରପ୍ରସାର ପାଇଁ ଉଦ୍ୟମ ହେବ
 ପରିବେଶକୁ ପ୍ରାଥମିକତା ରଖି ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ଭବ
 ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ବଡ଼ ମାଧ୍ୟମ ହେବ ଭିତରକନିକା
 ପର୍ଯ୍ୟଟନ ଓ ପର୍ଯ୍ୟାବରଣ ଉଭୟର ସନ୍ତୁଳନ ରହିବା ଦରକାର


ସେହିପରି ବୋଟରେ ବସି ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପର୍ଯ୍ୟଟନ ଓ ପର୍ଯ୍ୟାବରଣ ଉଭୟର ସନ୍ତୁଳନ କରିବାର ଆବଶ୍ୟକତା ରହିଛି । ଏ ପରିପ୍ରେକ୍ଷୀରେ ଭାରତ ସରକାର ରାଜ୍ୟ ପର୍ଯ୍ୟଟନ ବିଭାଗ ସହ ସହଯୋଗୀ ହୋଇ ବିଶ୍ୱପ୍ରସିଦ୍ଧ  ଭିତରକନିକାର ଅଧିକ ବିକାଶ ପାଇଁ ଦାୟିତ୍ୱ ନେବେ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ଏ ନେଇ ଅବଗତ କରାଯିବ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭିତରକନିକାର ପ୍ରଚାରପ୍ରସାର ପାଇଁ ଉଦ୍ୟମ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


ଅପାର ସମ୍ଭାବନାର ଅଂଚଳ ଭିତରକନିକାର ବିକାଶ ହେଲେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ଓ ସ୍ଥାନୀୟ ଅର୍ଥନୀତି ମଧ୍ୟ ମଜବୁତ୍ ହେବ । ଆଗାମୀ ଦିନରେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ତଥା ଏହି ଅଂଚଳର ସାମଗ୍ରିକ ବିକାଶ ପାଇଁ ଭିତରକନିକା ବଡ଼ ମାଧ୍ୟମ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ ଏହି ଦୁଇଦିନିଆ କେନ୍ଦ୍ରାପଡା ଗସ୍ତ କାଳରେ ରିକୋ-ରିଟ୍ରିଟ୍‌ରେ ରାତ୍ରିଯାପନ କରିବା ପୂର୍ବରୁ ସେଠାରେ ରହୁଥିବା ସଧାରଣ ପର୍ଯ୍ୟଟକଙ୍କ ସହ ଆଲୋଚନା କରିବା ସହ କ୍ୟାମ୍ପ ପରିସର ବୁଲି ଦେଖିଥିଲେ । ଏହାସହ ଭିତର କନିକା ଜାତୀୟ ଉଦ୍ୟାନରେ ବୁଲିବା ବେଳେ ସାଧାରଣ ପର୍ଯ୍ୟଟକଙ୍କ ସହ କଥା ହୋଇ ସେମାନଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ ।

Union Minister dharmendra pradhan visit eco Retreat Bhitara kanika