ଦିଲ୍ଲୀରେ ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥାରୁଢ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ମହାପ୍ରଭୁ ସମଗ୍ର ମାନବଜାତିକୁ ସୁସ୍ଥ,ସୁରକ୍ଷିତ ଓ ଖୁସିରେ ରଖନ୍ତୁ - ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଉପଲକ୍ଷେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିଲ୍ଲୀର ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ପରିବାର ସଦସ୍ୟଙ୍କ ସହ ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ନିଜକୁ କୃତାର୍ଥ ମଣିବା ସହ ଭିଡ଼ିଓ ବାର୍ତା ଜରିଆରେ ୧୩୦ କୋଟି ଭାରତୀୟ, ସାଢେ ୪ କୋଟି ଓଡିଆ ତଥା ବିଶ୍ୱର ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ।

 ଭିଡିଓ ବାର୍ତା ଜରିଆରେ ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ
 ରଥଯାତ୍ରା କେବଳ ଉତ୍ସବ ନୁହେଁ ବରଂ ଓଡ଼ିଆଙ୍କ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ
 ଭକ୍ତଶୂନ୍ୟ ରଥଯାତ୍ରାରେ ଅଗଣିତ ଭକ୍ତ ଟିଭି ଓ ଇଂଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମହାପ୍ରଭୁ ସମଗ୍ର ମାନବଜାତିକୁ ସୁସ୍ଥ, ସୁରକ୍ଷିତ ଓ ଖୁସିରେ ରଖନ୍ତୁ । ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଓଡ଼ିଆଙ୍କ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡକୁ ବାହାରି ଆସି ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ
ସମସ୍ତଙ୍କ ସହ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ପବିତ୍ର ରଥଯାତ୍ରା ।
କୋଭିଡ୍ ମହାମାରୀ କାରଣରୁ ଆମ ରାଜ୍ୟର ପୁରୀ ବ୍ୟତିତ ଅନ୍ୟ କେଉଁ ଠାରେ ମନ୍ଦିର ବାହାରେ ରଥଯାତ୍ରା ଅନୁଷ୍ଠିତ ହେଉନାହିଁ । ଭକ୍ତଶୂନ୍ୟ ରଥଯାତ୍ରାରେ ମଧ୍ୟ ଅଗଣିତ ଭକ୍ତ ଟିଭି ଓ ଇଂଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି । ୧୩୦ କୋଟି ଭାରତୀୟ, ସାଢେ ୪ କୋଟି ଓଡିଆ ତଥା ବିଶ୍ୱର ଅଗଣିତ ଭକ୍ତଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି ଓ ଆଗକୁ ମଧ୍ୟ ରହିବ ।
ଏହି ପବିତ୍ର ଅବସରରେ ଓଡିଆ ଜାତିର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଆମ ରାଜ୍ୟ, ଦେଶ ଓ ସାରା ବିଶ୍ୱବାସୀଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ ଏବଂ ମହାପ୍ରଭୁ ସମଗ୍ର ମାନବଜାତିକୁ ସୁସ୍ଥ, ସୁରକ୍ଷିତ ଓ ଖୁସିରେ ରଖନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ପାଖରେ କାମନା କରିଛନ୍ତି ।

Union Minister dharmendra pradhan seek blessings from Mahaprabhu Jagannath