ରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ ସୁବିଧାକୁ ଗୁରୁତ୍ୱ ଦେଉଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ

୨୦୨୧-୨୨ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟିର ଅନୁଦାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ରେଳ ଭିତିଭୂମିର ବିକାଶ ପାଇଁ ଚଳିତ ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ବିପୁଳ ଅର୍ଥ ଅନୁଦାନ ମାଧ୍ୟମରେ ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ ଦିଆଯିବା ସହ ରାଜ୍ୟରେ ରେଳ ଭିତିଭୂମି ଓ ରେଳ ସଂଯୋଗ ସ୍ଥାପନକୁ ସୁଦୃଢ କରିବା ଓ ଯାତ୍ରୀଙ୍କ ସୁବିଧା ବଢାଇବାକୁ ମଧ୍ୟ ପ୍ରଧାନ୍ୟ ଦିଆଯାଇଛି ।

 ପୂର୍ବବର୍ଷ ଅପେକ୍ଷା ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ
 ଓଡିଶା ତଥା ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତା
 ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ
 କଂଗ୍ରେସ ସରକାର ତୁଳନାରେ ମୋଦି ସରକାରରେ ଓଡିଶାକୁ ମିଳୁଛି ବିପୁଳ ଅର୍ଥ
 ଓଡିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୩୯ଟି ରେଳ ପ୍ରକଳ୍ପ କ୍ରିୟାନ୍ୱିତ ହେଉଛି
 ଚଳିତ ବଜେଟରେ ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ପାଇଁ ୧୦୦୦ କୋଟି ଓ ଅନୁଗୁଳ-ସୁକିନ୍ଦା
ରୋଡ୍ ପାଇଁ ୪୦୦ କୋଟି ବିପୁଳ ଅର୍ଥ ରେଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବ
 ରାଜ୍ୟର ତିନୋଟି ଜିଲ୍ଲା ସୋନପୁର, ବୌଦ୍ଧ ଓ କନ୍ଧମାଳରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କଲେ ରେଳ କାମ ତ୍ୱରାନ୍ୱିତ ହେବ
 ଯାତ୍ରୀ ସୁବିଧା ପାଇଁ ୩୦୦.୮ କୋଟି ଟଙ୍କାର ବିପୁଳ ଅନୁଦାନ
 କଳାହାଣ୍ଡିରେ ବିଦ୍ୟୁତ୍ ଇଞ୍ଜିନ୍ କାରଖାନା ପ୍ରତିଷ୍ଠାକୁ ସ୍ୱାଗତ
 ପୂର୍ବ ଭାରତର ରେଳ ଭିତିଭୂମି ବିକାଶରେ ଅନୁଗୁଳକୁ ମଧ୍ୟ ମିଳିଛି ପ୍ରାଧାନ୍ୟ
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି ା ମୋଦି ସରକାରରେ ବିଗତ ୬ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ରେଳର ଅନୁଦାନ ବଢିଛି । ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି । ଓଡିଶାରେ ୬୧ ହଜାର ୯୪୯ କୋଟି ଟଙ୍କା ବ୍ୟୟରେ ୪,୮୭୭ କିମିର ୩୯ଟି ରେଳ ପ୍ରକଳ୍ପ ବିଭିନ୍ନ ପର୍ଯ୍ୟାୟରେ କ୍ରିୟାନ୍ୱିତ ହେଉଛି । ମୋଦି ସରକାର ଓଡିଶାକୁ ଅଧିକ ପ୍ରାଥମିକତା ଦେଉଛନ୍ତି । କଂଗ୍ରେସ ସରକାରରେ ୨୦୦୯-୧୪ ମଧ୍ୟରେ ଓଡିଶାକୁ ରେଳ ଅନୁଦାନ ବାବଦକୁ ବାର୍ଷିକ ହାରାହାରି ମାତ୍ର
୮୩୮ କୋଟି ଟଙ୍କା ଦିଆଯାଇଥିଲା । ମାତ୍ର ମୋଦି ସରକାରରେ ୨୦୧୪-୧୯ ମଧ୍ୟରେ ୩୯୨ ପ୍ରତିଶତ ବୃଦ୍ଧି ପାଇ ବାର୍ଷିକ ହାରାହରି ୪,୧୨୬ କୋଟି ଟଙ୍କା ଦିଆଯାଉଛିା ପୂର୍ବଦୋୟର ବିକାଶ ପାଇଁ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
ଚଳିତ କେନ୍ଦ୍ରର ରେଳ ବଜେଟରେ ୨୮୯ କିମି ଖୋର୍ଦ୍ଧା ରୋଡ- ବଲାଙ୍ଗୀର ରେଳ ଲାଇନ ପାଇଁ ୧୦୦୦.୫୦ କୋଟି ଟଙ୍କା ଅନୁଦାନ ଦିଆଯାଇଥିବା ବେଳେ ରାଜ୍ୟ ସରକାର ରାଜ୍ୟର ତିନୋଟି ଜିଲ୍ଲା ସୋନପୁର, ବୌଦ୍ଧ ଓ କନ୍ଧମାଳରେ ଚାଲିଥିବା ରେଳ କାମରେ ରାଜ୍ୟ ସରକାର ଜମି ଅଧିଗ୍ରହଣ କଲେ ଏହି କାମ ତ୍ୱରାନ୍ୱିତ ହେବ । ଏହାବ୍ୟତିତ ବଜେଟରେ ୯୮.୭ କିମିର ଅନୁଗୁଳ-ସୁକିନ୍ଦା ରୋଡ୍ ଲାଇନ ପାଇଁ ୪୦୦ କୋଟି ଟଙ୍କା ,୮୨ କିମି ହରିଦାସପୁର-ପାରାଦୀପ ରେଳ ଲାଇନ ପାଇଁ ୧୦୦ କୋଟି ଟଙ୍କା ଦିଆଯାଇଛି । ଏହା ଦ୍ୱାରା ଏହି ପ୍ରକଳ୍ପର କାମ ତ୍ୱରାନ୍ୱିତ ହେବ । ଏହାସହ ସମ୍ବଲପୁର- ତାଳଚେରର ୧୭୪.୧୧ କିମି ରେଳ ଲାଇନ ଦୋହରୀକରଣ ପାଇଁ ୧୭୩.୮୨ କୋଟି ଟଙ୍କା, ସମ୍ବଲପୁର – ଟିଟିଲାଗଡ ୧୮୨.୧୧ କିମି ରେଳ ଲାଇନର ଦୋହରୀକରଣ ପାଇଁ ୨୦୦ କୋଟି ଟଙ୍କା, ଟିଟିଲାଗଡରୁ ବିଜୟନଗରମ୍ ୨୬୪.୬ କିମି ତୃତୀୟ ଲାଇନ ପାଇଁ ୩୦୦ କୋଟି ଟଙ୍କା ରାଉରକେଲାରୁ ଝାରସୁଗୁଡା ତୃତୀୟ ଲାଇନ ପାଇଁ ୨୩୦ କୋଟି ଟଙ୍କା ଦିଆଯାଇଛି ।
ଚଳିତ ଆର୍ଥିକ ବର୍ଷ ପାଇଁ ନୂଆ ଲାଇନର କାର୍ଯ୍ୟ ପାଇଁ ୧୫୫୩.୬୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି ।
ସେହିପରି ରାଜ୍ୟରେ ରେଳଲାଇନର ଦୋହରୀକରଣ ପାଇଁ ୧୭୦୨.୪୯ କୋଟି ଟଙ୍କା ଦିଆଯାଇଛି । ଯାତ୍ରୀ ସୁବିଧା ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦.୮ କୋଟି ଟଙ୍କା ଦିଆଯାଇଥିଲା ମାତ୍ର ୨୦୨୧ -୨୨ ଆର୍ଥିକ ବର୍ଷ ପାଇଁ ଏହାକୁ ବୃଦ୍ଧି କରାଯାଇ ୩୦୦.୮ କୋଟି ଟଙ୍କା କରାଯାଇଛି । ଅନୁଗୁଳ ଇଲେକ୍ଟ୍ରିକ୍ ଲୋକୋ ସେଡ୍ ହୋଲ୍ଡିଂ କାପାସିଟିକୁ ୧୦୦ ଇଞ୍ଜିନରୁ ବୃଦ୍ଧି କରାଯାଇ ୧୫୦ ଇଞ୍ଜିନକୁ କରାଯାଇଛି । ଏହାଦ୍ୱାରା ପୂର୍ବ ଭାରତରେ ଅନୁଗୁଳକୁ ରେଳ ଇଞ୍ଜିନ ଲୋକୋସେଡ୍‌ରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇବ । କଳାହାଣ୍ଡିରେ ବିଦ୍ୟୁତ୍ ଇଞ୍ଜିନ୍ କାରଖାନା ମଧ୍ୟ ପ୍ରତିଷ୍ଠା କରିବା ନେଇ ବଜେଟରେ ଘୋଷଣା କରାଯାଇଛି ।

Union Minister dharmendra pradhan Press Meet on Railway budget allocation to odisha