ସମାଜ କଲ୍ୟାଣ ପାଇଁ ଆଇଆଇଟି କାନପୁରର ଉଦ୍ୟମ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପ୍ରେରଣା ଦେବ – ଧର୍ମେନ୍ଦ୍ର ପ୍ରଧାନ

ଆଇଆଇଟି କାନପୁର ଠାରେ ମେଡିକାଲ କଲେଜ ଓ ହସ୍ପିଟାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

କାନପୁର/ଭୁବନେଶ୍ୱର, ଜୁଲାଇ ୧୬ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଆଇଆଇଟି କାନପୁର ଠାରେ ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ କରିଛନ୍ତି ।
ଏହି ଦୁଇଟି ଅନୁଷ୍ଠାନର ଭିତିପ୍ରସ୍ତର ପାଇଁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ଏହି ଦୁଇଟି ଅନୁଷ୍ଠାନ ପ୍ରତିଷ୍ଠା ହେଲେ ଦେଶର ସ୍ୱାସ୍ଥ୍ୟ ସେବା ପରିସଂସ୍ଥାନ ମଜବୁତ୍ ହେବା ସହ ଉଭା ହେଉଥିବା ଅର୍ଥନୀତିରେ କାନପୁର ସୁଲଭ ତଥା ଭବିଷ୍ୟତ ସମାଧାନର ପେଣ୍ଠସ୍ଥଳି ଭାବରେ ପ୍ରତିଷ୍ଠିତ ହୋଇପାରିବ । ଆଇଆଇଟି କାନପୁର ଭଳି ମହତ ଉଦ୍ୟମ ଗୁଡିକ ସ୍ୱାସ୍ଥ୍ୟସେବା ଏବଂ ଇଞ୍ଜିନିୟରିଂ ମଧ୍ୟରେ ବ୍ୟବଧାନକୁ ଦୂର କରିବ । ସ୍ୱଳ୍ପ ବ୍ୟୟସାପେକ୍ଷ ବୈଷୟିକ ସମାଧାନ ପ୍ରଦାନ କରିବ ଏବଂ ସମାଜର କଲ୍ୟାଣ ପାଇଁ ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ପ୍ରେରଣା ଦେବ ।
ବିଗତ ଛଅ ଦଶନ୍ଧି ଧରି ଆଇଆଇଟି କାନପୁର ଇଞ୍ଜିନିୟରିଂ ଶିକ୍ଷାରେ ଏକ ଅଗ୍ରଣୀ ଅନୁଷ୍ଠାନ ଭାବରେ କାମ କରୁଛି । ଏହି ଅନୁଷ୍ଠାନ ସମୟନୁସାରେ ପରିବର୍ତନ ହେଉଥିବା ସମାଜର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଏବଂ ଜାତୀୟ ମିଶନକୁ ସମର୍ଥନ କରିବା ସହ ଆତ୍ମନିର୍ଭର ଭାରତ ନିର୍ମାଣରେ ସକ୍ରିୟ ସହଯୋଗ କରିଆସୁଛି । ସେହିପରି ଜଳବାୟୁ ପରିବର୍ତନ, ୱେଷ୍ଟ ଟୁ ୱେଲଥ, ବିକଳ୍ପ ସବୁଜ ଇନ୍ଧନ ଏବଂ ଅର୍ଥନୀତି ପାଇଁ ନୂଆ ବିଜନେସ ମଡ଼େଲ ବିକଶିତ କରିବା ପାଇଁ କୁଶଳ ଏବଂ ସ୍ୱଳ୍ପ ବ୍ୟୟସାପେକ୍ଷ ସମାଧାନ ଅନ୍ୱେଷଣ କରିବାକୁ ଆଇଆଇଟି କାନପୁରକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

–    ‘ଦ ଗଙ୍ଗୱାଲ ସ୍କୁଲ ଅଫ୍ ମେଡ଼ିକାଲ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି’ ଏବଂ ‘ୟେଦୁପତି ସିଂଘାନିଆ ସୁପର ସ୍ପେଶାଲିଟି’ ହସ୍ପିଟାଲର ଶିଳାନ୍ୟାସ
–    ଲୋକଙ୍କ ଜୀବନକୁ ସୁଗମ କରିବା ସହ ମାନବ କଲ୍ୟାଣ ପାଇଁ ରାସ୍ତା ବାହାର କରିବାକୁ ଆହ୍ୱାନ

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ଭାରତକୁ ଅନେକ ସୁଯୋଗ ପ୍ରଦାନ କରିବ । ଡ୍ରୋନ ସହ ଜଡ଼ିତ ଅର୍ଥନୀତି ଏବଂ ଚିପ୍ ଇକୋସିଷ୍ଟମରେ ଦକ୍ଷତା ବୃଦ୍ଧି ବିକାଶ କରିବା ଦିଗରେ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲକ୍ଷ୍ୟ ରଖିବା ଦରକାର । ଅମୃତ କାଳରେ ଆମକୁ ଏମିତି ଏକ ପିଢି ଗଢ଼ିବାକୁ ହେବ, ଯେଉଁମାନେ ସମାଜ ଓ ରାଷ୍ଟ୍ର କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଥିବେ । ଏହି ମର୍ମରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତାକୁ ମୁଳଦୁଆ କରି ଆଇଆଇଟି କାନପୁର ଲୋକଙ୍କ ଜୀବନକୁ ସୁଗମ କରିବା ସହ ମାନବ କଲ୍ୟାଣ ପାଇଁ ବିଭିନ୍ନ ସମସ୍ୟାର ସମାଧାନର ରାସ୍ତା ବାହାର କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଆଇଆଇଟି କାନପୁର ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନ୍ୟାସନାଲ ସେଂଟର ଫର୍ ଫ୍ଲେକ୍ସିବଲ୍ ଇଲେକ୍ଟ୍ରୋନିକ୍ସ ପରିଦର୍ଶନ କରିବା ସହ ଆଇଆଇଟି କାନପୁର ସହଯୋଗରେ ଆରମ୍ଭ ହୋଇଥିବା ଷ୍ଟ୍ରାଟଅପ ବୁଲି ଦେଖିଥିଲେ ।

Union Minister dharmendra pradhan lays foundation stone for Gangwal School of Medical Sciences & Technology