ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଇଡ଼ିଆ, ଇନୋଭେସନ ଏବଂ ଆକାଂକ୍ଷାର ଅପୂର୍ବ ସମାହାର-ଧର୍ମେନ୍ଦ୍ର ପ୍ରଧାନ

‘ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟି’ର ସମାବର୍ତ୍ତନ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଉଦ୍‌ବୋଧନ

ସିଲଙ୍ଗ୍‌ :  ଆମ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଆଇଡ଼ିଆ, ନବସୃଜନ ଏବଂ ଆକାଂକ୍ଷାର ଅପୂର୍ବ ସମାହାର ବୋଲି ଶନିବାର ମେଘାଳୟର ସିଲଙ୍ଗ୍ ସ୍ଥିତ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍‌ସିଟିର ୨୭ତମ ସମାବର୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଦୁଇଦିନିଆ ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ମେଘାଳୟର ମୁଖ୍ୟମନ୍ତ୍ରୀ କରନାଡ୍ ସାଙ୍ଗମା, ଶିକ୍ଷା ମନ୍ତ୍ରୀ ଲାକ୍ଷମେନ୍ ରିମ୍ବୱିଙ୍କ ସହ ନର୍ଥ-ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ସମାବର୍ତନ ସମାରୋହରେ ଯୋଗ ଦେଇଛନ୍ତି । ସମାରୋହରେ ବିଦ୍ୟାର୍ଥୀଙ୍କୁ ଡ଼ିଗ୍ରୀ ଓ ପଦକ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ବିଶ୍ୱବିଦ୍ୟାଳୟ ଗୁଡିକ ସମାଜ ଓ ମାନବ ଜାତିର କଲ୍ୟାଣ ପାଇଁ ଗବେଷଣା କରିବାର ଏକ ଉପଯୁକ୍ତ ସ୍ଥାନ । ଲୋକଙ୍କ ଜୀବନଯାପନକୁ ସୁଗମ କରିବା ଦିଗରେ ଗବେଷଣା କରିବା ପାଇଁ ମଧ୍ୟ ବିଶ୍ୱବିଦ୍ୟାଳୟ ପ୍ରୋତ୍ସାହନ ପ୍ରଦାନ କରିଥାଏ । ଏ ମର୍ମରେ ପୂର୍ବତୋର ପର୍ବତୀୟ ବିଶ୍ୱବିଦ୍ୟାଳୟ ଉତର ପୂର୍ବାଂଚଳରେ ଗୁଣାତ୍ମକ ଶିକ୍ଷା କେନ୍ଦ୍ର ସ୍ଥାପନ କରିଅଛି । ସ୍ଥାନୀୟ ଅଂଚଳର ନାଗରିକଙ୍କ କଲ୍ୟାଣ ପାଇଁ ଉଚ୍ଚସ୍ତରୀୟ ଗବେଷଣା ଏବଂ ଜ୍ଞାନର ପ୍ରଚାରପ୍ରସାର ପାଇଁ ଏହି ଶିକ୍ଷାନୁଷ୍ଠାନର କାର୍ଯ୍ୟ ବାସ୍ତବପକ୍ଷେ ପ୍ରଶଂସନୀୟ ବୋଲି ସେ କହିଛନ୍ତି ।

–    ମେଘାଳୟର ମୁଖ୍ୟମନ୍ତ୍ରୀ କରନାଡ୍ ସାଙ୍ଗ୍‌ମା, ଶିକ୍ଷା ମନ୍ତ୍ରୀ ଲାକ୍ଷ୍‌ମେନ୍ ରିମ୍ବୱିଙ୍କ ସହ ସମାବର୍ତନ ସମାରୋହରେ ଯୋଗଦେଲେ
–    ବିଦ୍ୟାର୍ଥୀଙ୍କୁ ଡ଼ିଗ୍ରୀ ଓ ପଦକ ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଲେ
–    ଭିସି ଯୋଗେ ଆଇଏଫଟିଡ଼ିଓ ବିଶ୍ୱ ସମ୍ମିଳନୀ ଓ ପ୍ରଦର୍ଶନୀରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
–    ବିଶ୍ୱବିଦ୍ୟାଳୟ ଗୁଡିକ ମାନବ ଜାତିର କଲ୍ୟାଣ ପାଇଁ ଗବେଷଣା କରିବାର ଉପଯୁକ୍ତ ସ୍ଥାନ
–    ଏକବିଂଶ ଶତାବ୍ଦୀର ଆହ୍ୱାନ ପାଇଁ ଆମେ ଆମର ମାନବ ସମ୍ବଳ ପ୍ରସ୍ତୁତ କରୁଛୁ
–    ମେଘାଳୟ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରୁଥିବା ନେଇ ଖୁସିବ୍ୟକ୍ତ କଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣୟନ ହୋଇଥିବା ନୂଆ ରଷ୍ଟ୍ରୀୟ ଶିକ୍ଷା ନୀତି ଆମ ସମସ୍ତଙ୍କୁ ବୈଶ୍ୱିକ ନାଗରିକ ପ୍ରସ୍ତୁତ କରିବା ଦିଗରେ ପଥ ପ୍ରଦର୍ଶକ ସାଜିବ । ଶିକ୍ଷା ନୀତିରେ ଶିଶୁଙ୍କ ସାମଗ୍ରିକ ବିକାଶ ସହ ଆଂଚଳିକ ଭାଷାରେ ଶିକ୍ଷାଦାନକୁ ଯଥେଷ୍ଟ ମହତ୍ୱ ଦିଆଯାଇଛି । ଅନୁରୂପ ଭାବରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦାତା ହେବା ପାଇଁ ପ୍ରୋତ୍ସାହନ କରିବା ସହ କହିଛନ୍ତି ଆମେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଯୁବପିଢି ନିଜ ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେବା ଉଚିତ୍ । ନର୍ଥ ଇଷ୍ଟର୍ଣ୍ଣ ହିଲ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନେ ଦୃଢ଼ ଆଲୁମିନି ନେଟୱାର୍କ ଗଠନ କରିବା ଦିଗରେ କାର୍ଯ୍ୟ କରନ୍ତୁ । ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ରାଜ୍ୟ, ଦେଶ ଏବଂ ମାନବ ସମାଜର ଦାୟିତ୍ୱ ନେବା ପାଇଁ ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଛନ୍ତି ।
ସେହିପରି ଶ୍ରୀ ପ୍ରଧାନ ସିଲଙ୍ଗ ଠାରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀ ଠାରେ ଆୟୋଜିତ ୪୯ତମ ଇଂଟରନ୍ୟାସନାଲ ଫେଡେରେସନ ଅଫ୍ ଟ୍ରେନିଂ ଏଣ୍ଡ୍ ଡେଭଲପମେଂଟ ଅର୍ଗାନାଇଜେନ (ଆଇଏଫଟିଡ଼ିଓ) ବିଶ୍ୱ ସମ୍ମିଳନୀ ଓ ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି । ‘ଷ୍ଟ୍ରାଟେଜିକ୍ସ ଫର୍ ଆନ୍ ଏଜାଇଲ ୱାର୍କ କଲଚର ; ପାଥୱେ ଟୁ ଦ ନ୍ୟୁ ଏଜ୍‌’ ବିଷୟ ଉପରେ ଆୟୋଜିତ ଏହି ଆଲୋଚନାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ସମୟନୁସାରେ କାର୍ଯ୍ୟ କରିବାର ଶୈଳି ବଦଳିଛି । ଏହି ପରିବର୍ତିତ ଦୃଶ୍ୟପଟ୍ଟରେ ଏକ କୌଶଳ ରଣନୀତି ମାଧ୍ୟମରେ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରାଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରତ୍ୟେକ କ୍ଷେତ୍ରରେ କ୍ଷମତା ଗଠନକୁ ଗୁରୁତ୍ୱ ଦିଆଯାଉଛି । କାପାସିଟି ବିଲଡିଂ କମିଶନ ଅଫ୍ ଇଣ୍ଡିଆ ବିଭିନ୍ନ ସଂସ୍ଥା ମଧ୍ୟରେ ଯୋଗସୁତ୍ର ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ।

ଉଲ୍ଲେଖନୀୟ ଯେ, ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ମେଘାଳୟ ମୁଖ୍ୟମନ୍ତ୍ରୀ ଶ୍ରୀ ସାଙ୍ଗମା, ରାଜ୍ୟ ଶିକ୍ଷା ମନ୍ତ୍ରୀ ଶ୍ରୀ ରିମ୍ବୱି ଓ ସରକାରୀ ଅଧିକାରୀଙ୍କ ସହ ମେଘାଳୟରେ ପ୍ରାଥମିକ ଶିକ୍ଷା, ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ପରିସଂସ୍ଥାନ ଉପରେ ପ୍ରସ୍ତୁତ ଏକ ପ୍ରଜେଂଟେସନର ସମୀକ୍ଷା କରିଥିଲେ । ମେଘାଳୟ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରୁଥିବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ ।

Union Minister dharmendra pradhan joins the 27th Convocation ceremony of North-Eastern Hill University