ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନିର୍ବାଚନର ଅନ୍ତିମ ଦିନରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ସମସ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ପବିତ୍ର ରଥକାଠକୁ ପ୍ରଣିପାତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଓଡ଼ିଶାରେ ନିର୍ବାଚନ ଆରମ୍ଭ ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଇଥିବା ବେଳେ ଆଜି ନିର୍ବାଚନର ଶେଷ ଦିନ ମଧ୍ୟ ପ୍ରତ୍ୟକ୍ଷ ଆଶୀର୍ବାଦ ନେବାର ସୌଭାଗ୍ୟ ପ୍ରାପ୍ତ ହେଲା । ଆମ ଦେଶରେ ଏକ ଶକ୍ତିଶାଳୀ, ନିର୍ଣ୍ଣାୟକ ଓ ଦୃଢ ସରକାର ଗଠନ ହେଉ, ଏହା ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା । ଓଡ଼ିଶାରେ ବି ଏଥର ସତ୍ତା ପରିବର୍ତ୍ତନ ହେବ । ବିଜେପିକୁ ଓଡ଼ିଶାବାସୀଙ୍କ ସେବା କରିବାର ସୁଯୋଗ ମିଳିବ, ଏହା ଆମର ବିଶ୍ୱାସ ରହିଛି ।