ଡା.ହରେକୃଷ୍ଣ ମହତାବ ଜାତୀୟତାରେ ଓଡ଼ିଆ ଜନଜୀବନର ସଂସ୍କାର ଦେଖାଇଥିଲେ -ଧର୍ମେନ୍ଦ୍ର ପ୍ରଧାନ

୩୪ତମ ସ୍ୱାଧୀନତା ସଂଗ୍ରାମୀ ସମିତି ମହୋତ୍ସବରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ୱର :  ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡା.ହରେକୃଷ୍ଣ ମହତାବ ଜଣେ ବ୍ୟକ୍ତି ନୁହେଁ ବଂର ଗୋଟିଏ ବିଚାରଧାରା ଥିଲେ ଏବଂ ଜାତୀୟତାରେ ଓଡ଼ିଆ ଜନଜୀବନର ସଂସ୍କାର ଦେଖାଇଥିଲେ ବୋଲି ଶନିବାର ତାଙ୍କ ପୁଣ୍ୟତିଥି ଅବସରରେ ଭୁବନେଶ୍ୱର ଠାରେ ଆୟୋଜିତ ୩୪ତମ ସ୍ୱାଧୀନତା ସଂଗ୍ରାମୀ ସମିତି ମହୋତ୍ସବରେ ଉଦବୋଧନ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ଡା.ମହତାବଙ୍କ ସମେତ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ଓଡ଼ିଶାର ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି ବର୍ତମାନର ଆହ୍ୱାନମୂଳକ ସମୟରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ମନେପକାଇ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେବା ଓ ସେମାନଙ୍କ ପରିବାରର ଦାୟଦଙ୍କୁ ସମ୍ମାନିତ କରିବାର ପରମ୍ପରା; ଏହା ପ୍ରକୃତପକ୍ଷେ ଅନନ୍ୟ ଏବଂ ସ୍ୱାଗତଯୋଗ୍ୟ । ଏଥିପାଇଁ ଆୟୋଜକ ମଣ୍ଡଳିଙ୍କୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ ।

 ଓଡ଼ିଶାର ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ
 ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିଥିଲେ
 ମହତାବଙ୍କ ପିମ୍ପରି ପେନସିଲିନ ଶିଳ୍ପର କଳ୍ପନା ଆଜି କରୋନା ଟୀକାକରଣ ପ୍ରସ୍ତୁତ ସମୟରେ ଜଣାପଡ଼ୁଛି
ଡା. ମହତାବ ଓଡ଼ିଆ ଲୋକଙ୍କ ପରିଚୟ ଓ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ । ମହତାବ ଥିଲେ ଜଣେ ସଫଳ ବ୍ୟକ୍ତିତ୍ୱ ଓ ବିଚାରଧାରାର ପୃଷ୍ଠପୋଷକ । ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ ଡା. ମହତାବ । ଡା. ହରେକୃଷ୍ଣ ମହତାବ କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ପିମ୍ପରି ପେନସିଲିନ୍ ପରି ଅନେକ ଶିଳ୍ପର କଳ୍ପନା କରିଥିଲେ । ଯାହାର ପ୍ରାସଙ୍ଗିକ ଆଜି କରୋନା ଟୀକାକରଣ ପ୍ରସ୍ତୁତ ହେବା ସମୟରେ ଜଣାପଡ଼ୁଛି । ଓଡ଼ିଶାକୁ ଭାଷା ଆଧାରିତ ରାଜ୍ୟ ଭାବେ ଗଠନ କରିବା ପାଇଁ ଡା. ମହତାବ ଯୁବ ସମୟରେ ନେତୃତ୍ୱ ନେଇଥିଲେ । ତାଙ୍କ କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା ଶ୍ରୀ ପ୍ରଧାନ କହିଛନ୍ତି ।

Union Minister dharmendra pradhan at odisha Swadhinata Sangrami Mohastav