ଭାରତକୁ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ କରିବା ପାଇଁ ଆମେ ଏକାଠି ହୋଇ ଯୁବପିଢ଼ିଙ୍କ ଭବିଷ୍ୟତ ପ୍ରସ୍ତୁତ କରିବା-ଧର୍ମେନ୍ଦ୍ର ପ୍ରଧାନ
ଭାରତୀୟ ଶିଳ୍ପ ମହାସଂଘର ବାର୍ଷିକ ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ
ନୂଆଦିଲ୍ଲୀ/ଭୁବନେଶ୍ୱର : ଆମେ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ବେଳେ ଆମେ ସମସ୍ତେ ଏକାଠି ହୋଇ ଯୁବପିଢ଼ିଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦରକାର । କାରଣ ଯୁବପିଢିମାନେ ହିଁ ଭାରତର ନେତୃତ୍ୱ ନେଇ ଆତ୍ମନିର୍ଭର ଭାରତର ଲକ୍ଷ୍ୟକୁ ହାସଲ କରିପାରିବେ । ଏହି ଲକ୍ଷ୍ୟ ଆଧାରରେ ଭାରତ ଦ୍ରୁତ ଅର୍ଥନୀତି ଅଭିବୃଦ୍ଧିର ସାକ୍ଷୀ ହେବ ଏବଂ ବିଶ୍ୱ ଅଭିବୃଦ୍ଧିର ଇଞ୍ଜିନ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
‘ନିଯୁକ୍ତି ସୃଷ୍ଟି ଏବଂ ଉଦ୍ୟମିତା -ଜୀବିକା ପାଇଁ ଆଗକୁ ବଢିବା’ ବିଷୟ ଉପରେ ଆଲୋଚନା
ଅର୍ଥନୀତିକୁ ଆଗକୁ ବଢ଼ାଇବା ପାଇଁ ଯୁବପିଢିଙ୍କ ଦକ୍ଷତା ବୃଦ୍ଧି ଜରୁରୀ
ଭବିଷ୍ୟତର ମାନବସମ୍ବଳ ପ୍ରସ୍ତୁତ କରିବା ପାଇଁ ଉଦ୍ୟମ ଜାରୀ
ସୁଦୃଢ଼ ଶିକ୍ଷା ପରିସଂସ୍ଥାନ ପ୍ରସ୍ତୁତ କରିବ ଜାତୀୟ ଶିକ୍ଷା ନୀତି
ଭାରତୀୟ ଶିଳ୍ପ ମହାସଂଘର(ସିଆଇଆଇ)ର ବାର୍ଷିକ ସମାରୋହରେ ନିଯୁକ୍ତି ସୃଷ୍ଟି ଏବଂ ଉଦ୍ୟମିତା – ଜୀବିକା ପାଇଁ ଆଗକୁ ବଢିବା ବିଷୟ ଉପରେ ଆୟୋଜିତ ଭର୍ଚୁଆଲ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ଅର୍ଥନୀତି ଦ୍ରୁତଗତିରେ ଆଗକୁ ବଢ଼ୁଛି ଏବଂ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ଦେଖାଯାଉଛି । ଅର୍ଥନୀତିକୁ ଆଗକୁ ବଢ଼ାଇବା ସହ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ହେବ ।
ଆମ ଯୁବପିଢ଼ିଙ୍କୁ ଏକବିଂଶ ଶତାବ୍ଦୀର ଦକ୍ଷତା ସହ ପ୍ରସ୍ତୁତ କରିବା ପାଇଁ ନିରନ୍ତର ଉଦ୍ୟମ ଜାରୀ ରହିଛି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ଭାରତ ସରକାର ଭବିଷ୍ୟତର ମାନବସମ୍ବଳ ପ୍ରସ୍ତୁତ କରିବା ପାଇଁ ଶିକ୍ଷା ଏବଂ ଦକ୍ଷତା ମଧ୍ୟରେ ସମନ୍ୱୟ ରଖିବା ପାଇଁ କାର୍ଯ୍ୟ କରୁଛନ୍ତି । ଜାତୀୟ ଶିକ୍ଷା ନୀତି ଏକ ସୁଦୃଢ଼ ଶିକ୍ଷା ପରିସଂସ୍ଥାନ ପ୍ରସ୍ତୁତ କରିବାରେ ବଡ଼ ଯୋଗଦାନ ରଖିବ ଏବଂ ଅର୍ଥନୀତି ଅଭିବୃଦ୍ଧିରେ ସହାୟକ ହେବ ।
ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଟେକ୍ନୋଲୋଜି ସମାଜକୁ ପୁନଃରୂପ ଦେଇଥାଏ । ଟେକ୍ନୋଲୋଜି ସହଯୋଗରେ ଆମର ଶିକ୍ଷକମାନେ ରି-ସ୍କିଲ ଏବଂ ଅପ-ସ୍କିଲ୍ କରିବା ଦରକାର । ଅପରପକ୍ଷରେ ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନ ଏବଂ ଦକ୍ଷତା ବିକାଶ କେନ୍ଦ୍ର ପ୍ରଭାବିତ ହୋଇଥିବା ବେଳେ ସରକାର ଡ଼ିଜିଟାଲ ଶିକ୍ଷାକୁ ବିକଶିତ କରି ଶିକ୍ଷାର ନିରନ୍ତରକୁ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
Union Minister dharmendra pradhan address on Job Creation & Entrepreneurship