‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବାଦ ଡ଼ିଜିଟାଲ ଏବଂ ‘ପୁନଶ୍ଚ ପୃଥିବୀ’ର ଭର୍ଚ୍ଚୁଆଲ ଲୋକାର୍ପଣ ସମାରୋହରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୮ – ସାଂପ୍ରତିକ ସମୟରେ ନୂଆପିଢ଼ିଙ୍କ ପାଇଁ ଶିକ୍ଷା ପର୍ଯ୍ୟାବରଣ ଆଧାରିତ ହେବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ‘ଜାତୀୟ ଶିକ୍ଷା ନୀତି’ରେ ପରିବେଶ ସୁରକ୍ଷା ତଥା ସ୍ଥାୟୀ ପରିବେଶ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ସମ୍ବାଦ ଡ଼ିଜିଟାଲ ଏବଂ ପରିବେଶ କାର୍ଯ୍ୟକ୍ରମ ‘ପୁନଶ୍ଚ ପୃଥିବୀ’ର ଭର୍ଚ୍ଚୁଆଲ ଲୋକାର୍ପଣ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ପଡ଼ିବ । ଆମେ ସମସ୍ତେ ଜଣେ ସଚେତନତା ନାଗରିକ ଦାୟିତ୍ୱ ହିସାବରେ ଆବଶ୍ୟକ ମୁତାବକ ଶକ୍ତି ବ୍ୟବହାର କରିବା ଦରକାର । ଭାରତ ସରକାର ମଧ୍ୟ ପରିବେଶର ସୁରକ୍ଷା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଭାରତବର୍ଷରେ ବିଏସ-୬ ଭଳି ସ୍ୱଚ୍ଛ ଇନ୍ଧନ ଆରମ୍ଭ କରାଯାଇଛି ।

 ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ପଡ଼ିବ
 ଆମେ ସମସ୍ତେ ଆବଶ୍ୟକ ମୁତାବକ ଶକ୍ତି ବ୍ୟବହାର କରିବା ଦରକାର
 ୨୦୨୧ରେ ଆମେ ଅମୃତ ମହୋତ୍ସବ ପାଳନ କରୁଛୁ
 ଆଗାମୀ ୧୫ରୁ ୨୫ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ
 ଆଗାମୀ ଦିନରେ ୫୦ ହଜାର ଗାଁରେ ହାଇସ୍ପିଡ୍ ଇଂଟରନେଟ୍ ପାଇଁ କାର୍ଯ୍ୟ ଜାରି ରହିଛି
 ଆଗକୁ ଯୋଗାଯୋଗ ଅଧିକ ସୁଗମ ହେବ ଏବଂ ବିଦେଶର ଲୋକମାନେ ଓଡିଶାର ଖବର ଜାଣିପାରିବେ
 ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ପରିବେଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆଣିଥିବାରୁ ସମ୍ବାଦ ଗ୍ରୁପକୁ ଧନ୍ୟବାଦ
୨୦୨୧ରେ ଆମେ ଅମୃତ ମହୋତ୍ସବ ପାଳନ କରୁଛୁ । ଆଗାମୀ ୧୫ରୁ ୨୫ ବର୍ଷ ଓଡ଼ିଶାବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ୧୯୩୬ରେ ଓଡ଼ିଶା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତି ହେବ ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ । ଆଗାମୀ ଦିନରେ ୫୦ ହଜାର ଗାଁରେ ହାଇସ୍ପିଡ୍ ଇଂଟରନେଟ୍ ପାଇଁ ଭାରତ ସରକାରଙ୍କ କାର୍ଯ୍ୟ ଜାରି ରହିଛି । ତେଣୁ ଆଗକୁ ଆମର ଯୋଗାଯୋଗ ଅଧିକ ସୁଗମ ହେବ । ବିଦେଶର ଲୋକମାନେ ମଧ୍ୟ ଟେକ୍ନୋଲୋଜି ମାଧ୍ୟମରେ ଓଡିଶାର ଖବର ଜାଣିପାରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଅମୃତ ମହୋତ୍ସବ ପାଳନ କରିବା ସମୟରେ ‘ସମ୍ବାଦ’ ଗ୍ରୁପ
ସମସ୍ତ ଡ଼ିଜିଟାଲ ପ୍ଲାଟଫର୍ମକୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ଏବଂ ପରିବେଶର ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆରମ୍ଭ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ । ‘ପୁନଶ୍ଚ ପୃଥିବୀ’ ଅଭିଯାନରେ ପରିବେଶ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆଣିଥିବାରୁ ସମ୍ବାଦ ଗ୍ରୁପକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ କରି ପୃଥିବୀ ଓ ପରିବେଶ ପାଇଁ ସମ୍ବାଦ ନୂଆ ଉପକ୍ରମ ଯୋଡିବାକୁ ଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡିଶା ଗଣମାଧ୍ୟମ ଜଗତରେ ନୂଆ ଚିନ୍ତାଧାରା ଓ ନୂଆ ଟେକ୍ନୋଲୋଜିକୁ ଆଧାର କରି ସାରା ବିଶ୍ୱରେ ଓଡିଆ ଲୋକଙ୍କ ପାଖରେ ଖବର ପହଁଚାଇବାରେ ସଫଳ ହୋଇଥିବା ସମ୍ବାଦ ଗ୍ରୁପ ଆଗାମୀ ଦିନରେ କେବଳ ଓଡ଼ିଆ ଲୋକଙ୍କ ଅଭିବ୍ୟକ୍ତିର ସ୍ୱର ହେବ ନାହିଁ ବରଂ ପରିବେଶ ସୁରକ୍ଷା ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Union Minister dharmendra pradhan address at the launch of Sambad Digital & Punascha Pruthibi