କୋରୋନା ଭାଇରସ: ଭାରତରେ ୨୮ ସଂକ୍ରମିତ

ନୂଆଦିଲ୍ଲୀ: ଚୀନରୁ ଉତ୍ପତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଏବେସୁଦ୍ଧା ୨୮ ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ସୂଚନା ଦେଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଇଟାଲିର ୧୪ ଜଣ ପର୍ଯ୍ୟଟକ ସାମିଲ ଅଛନ୍ତି । ସେମାନଙ୍କୁ ଦିଲ୍ଲୀର ଚାୱଲା କ୍ୟାମ୍ପଙ୍କୁ ପଠାଯାଇଥିବା ହର୍ଷବର୍ଦ୍ଧନ କହିଛନ୍ତି ।

ତେବେ ଆଗ୍ରାର ଗୋଟିଏ ପରିବାରର ୬ ଜଣ ସଦସ୍ୟ କୋରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ଦିଲ୍ଲୀରେ ଚିହ୍ନଟ ହୋଇଥିବା କୋରୋନା ଭାଇରସ ସଂକ୍ରମିତ ବ୍ୟକ୍ତି ଜଣଙ୍କ ଏମାନଙ୍କ ସମ୍ପର୍କୀୟ । ଏମାନେ ସମସ୍ତେ ତାଙ୍କ ସଂସ୍ପର୍ଶରେ ଆସିବା ପରେ ସମସ୍ତେ ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେହିପରି କୋରୋନା ଭାଇରସରେ ସଂକ୍ରମିତ ଜୟପୁରର ଇଟାଲୀ ପର୍ଯ୍ୟଟକଙ୍କ ସଂସ୍ପର୍ଶରେ ଆସିବା ପରେ ଜଣେ ଭାରତୀୟ ଡ୍ରାଇଭର ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି ।

କୋରୋନାର ପ୍ରକୋପକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ ବୁଧବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ହର୍ଷବର୍ଦ୍ଧନ କହିଛନ୍ତି, ‘ଭାରତରେ ଡାକ୍ତରଖାନାର ସୁବିଧା ବୃଦ୍ଧି କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି । ଏହା ସହିତ ଦିଲ୍ଲୀରେ ସମସ୍ତ ହସ୍ପିଟାଲରେ ଭଲ କ୍ବାଲିଟି ଯୁକ୍ତ ଆଇସୋଲେଶନ ୱାର୍ଡ ବିକଶିତ କରିବା ପାଇଁ ହସ୍ପିଟାଲ କର୍ତୃପକ୍ଷକୁ ଅନୁରୋଧ କରାଯାଇଛି । ବର୍ତମାନ ବିଦେଶରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଯାଂଚ କରାଯିବ । ପୂର୍ବରୁ କେବଳ ୧୨ ଦେଶ ପାଇଁ ଏହି ଆଡଭାଇଜରି ଜାରି ହୋଇଥିଲା ।’