ଏଣିକି ବ୍ୟାଙ୍କ ଓ କେନ୍ଦ୍ରୀୟ ଚାକିରି ପାଇଁ ଗୋଟିଏ ପରୀକ୍ଷା

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକରେ ପ୍ରକାଶ ପାଉଥିବା ନନ୍ ଗେଜେଟେଡ ପଦବୀ ପାଇଁ ଏଣିକି ଗୋଟିଏ ପ୍ରବେଶିକା ପରୀକ୍ଷା ହେବ । ଏନେଇ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କେନ୍ଦ୍ର ସରକାର ଜାତୀୟ ନିଯୁକ୍ତ ସଂସ୍ଥା ଏନ୍‌ଆର୍‌ଏ ପ୍ରତିଷ୍ଠା କରିବେ । ଏହି ସଂସ୍ଥା କମନ୍ ଏଲିଜିବିଲିଟି ଟେଷ୍ଟ ଆୟୋଜନ କରିବ । ଏହାପରେ ଦକ୍ଷତା ଅନୁସାରେ ଆଶାୟୀଙ୍କୁ ଚାକିରି ପ୍ରଦାନ କରାଯିବ ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଏବେ ଚାକିରି ପାଇଁ ଆଶାୟୀଙ୍କୁ ଏକାଧିକ ପରୀକ୍ଷା ଦେବାକୁ ପଡୁଛି । ଏସବୁ ଶେଷ କରିବା ପାଇଁ ଏନ୍‌ଆର୍‌ଏ ଲାଗୁ କରାଯାଉଛି । ଏହା ଯୁବଗୋଷ୍ଠୀଙ୍କ ଅଧିକ ଫାଇଦା ଦେବ । ଯେଉଁମାନେ ଚାକିରି ପାଇଁ ଆବେଦନ କରୁଛନ୍ତି, ସେମାନଙ୍କୁ ଏନ୍‌ଆର୍‌ଏ ଦ୍ୱାରା ଫାଇଦା ମିଳିବ ।

ନୂଆ ନିଷ୍ପତ୍ତି ଦ୍ୱାରା ଯୁବଗୋଷ୍ଠୀ ଭୋଗୁଥିବା ସମସ୍ୟା କେବଳ ଦୂର ହେବନି ବରଂ ସେମାନଙ୍କ ଟଙ୍କା ମଧ୍ୟ ବଂଚିବ । ଏବେ ଯୁବ ଗୋଷ୍ଠୀ ଗୋଟିଏ ପରୀକ୍ଷା ଦେଇ ଆଗୁକୁ ବଢ଼ିପାରିବେ । ସିଇଟିରେ ପିଲାମାନେ ଯେମିତି ର‌୍ୟାଙ୍କ ବା ମାର୍କ ରଖିବେ ତାହା ୩ ବର୍ଷ ଯାଏ ବୈଧ ରହିବ । ଏହାକୁ ଆଧାର କରି ଜଣେ ଆଶାୟୀ ନିଜର ଯୋଗ୍ୟତା ଓ ଇଚ୍ଛା ଅନୁସାରେ ବିଭିନ୍ନ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।