ଇ-ସିଗାରେଟ ବ୍ୟାନ୍‌

ନୂଆଦିଲ୍ଲୀ: ବୁଧବାର ଇ-ସିଗାରେଟ୍‌ର ଉତ୍ପାଦନ, ଆମଦାନୀ ଏବଂ ବଣ୍ଟନରେ ବ୍ୟାନ୍‌ ଲଗାଇବାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏହି ନିଷ୍ପତ୍ତି ଘୋଷଣା କରି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଇ-ସିଗାରେଟ୍‌ ଏବଂ ସେଭଳି ସବୁ ଉତ୍ପାଦ ଲୋକଙ୍କର ବିଶେଷ କରି ଯୁବକମାନଙ୍କର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବାରୁ କ୍ୟାବିନେଟ୍‌ ଏସୁବୁ ଉପରେ ବ୍ୟାନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି।

ସେ କହିଥିଲେ, ରିପୋର୍ଟରୁ ଜଣାପଡ଼ିଛି କିଛି ଲୋକ ଇ-ସିଗାରେଟ୍‌ର ଅଭ୍ୟାସରେ ପଡ଼ିବାର ଆରମ୍ଭ କରିସାରିଛନ୍ତି। ମୋଟ ୪୦୦ ବ୍ରାଣ୍ଡର ଇ-ସିଗାରେଟ୍‌ ରହିଥିବାବେଳେ ଏସବୁ ୧୫୦ ପ୍ରକାରର ଫ୍ଲେଭରରେ ମିଳୁଛି। କିନ୍ତୁ ଏଥିରୁ ଗୋଟିଏ ବି ଭାରତରେ ଉତ୍ପାଦନ ହେଉନାହିଁ। ଏହା ତମାଖୁ ବ୍ୟବହାର କମାଇବା ପରିବର୍ତ୍ତେ ଏକ ‘ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ’ ଭାବେ ବ୍ୟବହୃତ ହେଉଥିଲା ବୋଲି ସେ ଅଭିଯୋଗ ଆଣିଛନ୍ତି।

ବର୍ଷକୁ ଦେଶର ୯ ଲକ୍ଷ ଲୋକ ତମାଖୁ ସେବନ କାରଣରୁ ମୃତ୍ୟୁବରଣ କରୁଥିବାବେଳେ ଭାରତରେ ଧୂମ୍ରପାନକାରୀ ବିଶ୍ୱରେ ଦ୍ୱିତୀୟ ସର୍ବାଧିକ। ଏହା ଜୂଲ୍‌ ଏବଂ ଫିଲିପ୍‌ ମୋରିସ୍‌ ପରି କମ୍ପାନୀ ପାଇଁ ବଡ଼ ମାର୍କେଟ୍‌ ସୃଷ୍ଟି କରିଛି।ଏହା ପୂର୍ବରୁ ନ୍ୟୁୟର୍କ ଏବଂ ମିଚିଗାନ୍‌ ମଧ୍ୟ ଇ-ସିଗାରେଟ୍‌ ବ୍ୟାନ୍‌ କରିସାରିଛନ୍ତି। ପ୍ରଥମେ ମିଚିଗାନ୍‌ ଏବଂ ପରେ ନ୍ୟୁୟର୍କ ଦ୍ୱିତୀୟ ଆମେରିକୀୟ ଦେଶ ଭାବେ ଏହି ନିଷ୍ପତ୍ତି ନେଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଭବିଷ୍ୟତରେ ପଦକ୍ଷେପ ନିଆଯିବ ବୋଲି ପୂର୍ବରୁ ସୂଚନା ଦେଇଛନ୍ତି।