କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତା ୪% ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀ ଓ ପେନସନ ଭୋଗୀ ଖୁସିଖବର । ୪ ପ୍ରତିଶତ ବଢିଲା ମହଙ୍ଗା ଭତା । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠରେ ଏନେଇ ନିଷ୍ପତି ନିଆଯାଇଛି । ଏହା ଦ୍ୱାରା ପ୍ରାୟ ୩୨ ଲକ୍ଷ କର୍ମଚାରୀ ଓ ୨୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଏହି ନିଷ୍ପତିରେ ସେନା ଓ ସୁରକ୍ଷାବଳର କର୍ମଚାରୀ ମଧ୍ୟ ସାମିଲ ରହିଛନ୍ତି । ଏହି ବୃଦ୍ଧି ପରେ ମହଙ୍ଗା ଭତା ୧୭ରୁ ୨୧ ପ୍ରତିଶତ ହେବ । ଫଳରେ କର୍ମଚାରୀଙ୍କ ଦରମା ୭୨୦ ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବଢିବ । ଏହା ପୂର୍ବରୁ ରାଜ୍ୟସଭାରେ ଲିଖିତ ଜବାବ ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଜଣାଇଥିଲେ ଯେ, ମାର୍ଚ୍ଚ ମାସ ଦରମା ସହ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତା ମିଳିବ ।

କର୍ମଚାରୀଙ୍କ ଜୀବନଜାପନକୁ ସରଳ ଓ ସୁଗମ କରିବା ପାଇଁ ମହଙ୍ଗା ଭତା ଦିଆଯାଏ । ପୂରା ଦୁନିଆକୁ ଦେଖିବାକୁ ଗଲେ କେବଳ ଭାରତ, ପାକିସ୍ତାନ ଓ ବାଂଲାଦେଶ ହିଁ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତା ମିଳୁଛି । ୨ୟ ବିଶ୍ୱଯୁଦ୍ଧ ସମୟରେ ମହଙ୍ଗା ଭତାର ଆରମ୍ଭ କରାଯାଇଥିଲା ।

ସୂଚନା ଅନୁଯାୟୀ, ଶୁକ୍ରବାର ବସିଥିବା ଏହି କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏଥିରେ ୟେସ ବ୍ୟାଙ୍କ ପୁନଃନିର୍ମାଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏଥିସହ ଅର୍ଥବ୍ୟବସ୍ଥାରେ ହେଉଥିବା କ୍ଷତି ସମ୍ବନ୍ଧରେ ମଧ୍ୟରେ ବୈଠକରେ ଆଲୋଚନା କରାଯାଇଛି ।