ଶ୍ରୀମନ୍ଦିର ବିକାଶ ପାଇଁ ମନ୍ଦିର ପ୍ରଶାସନକୁ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ :  ଶ୍ରୀମନ୍ଦିରର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶ୍ରୀମନ୍ଦିର ପ୍ରଶାସନକୁ ବ୍ୟକ୍ତିଗତ ଭାବରେ ନିଜ ଦରମାରୁ ୧ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ଓଡିଶାବାସୀଙ୍କୁ ପୁରୀ ତଥା ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ନିବେଦନ କରିଛନ୍ତି ।

 ଗୁଣ୍ଡୁଚି ମୂଷା ସଦୃଶ ବାଲି ଝାଡିବାର ସୌଭାଗ୍ୟ ଲାଭ କଲି
 ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢାନ୍ତୁ
 ବିଶ୍ୱର ଓଡିଆ ଭାଇ ଭଉଣୀଙ୍କୁ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବାକୁ ନିବେଦନ
 ଓଡିଶାର ଜନସାଧାରଣଙ୍କୁ ନିଜର ସାମର୍ଥ୍ୟ ଅନୁସାରେ ସହଯୋଗ କରିବାକୁ ଅନୁରୋଧ
ରବିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀକ୍ଷେତ୍ର ପୁରୀ ଧାମର ବିକାଶ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ହିନ୍ଦୁ ସମାଜର ଶ୍ରଦ୍ଧାର କେନ୍ଦ୍ର ଓ ସାଢେ ୪ କୋଟି ଓଡ଼ିଆ ଲୋକଙ୍କ ହୃଦୟର ସ୍ପନ୍ଦନ ସହ ଯୋଡ଼ି ହୋଇରହିଛି । ସମାଜର ଦାୟିତ୍ୱରେ ହିଁ ବଡ ଦେଉଳର କାମ ସମ୍ପନ୍ନ ହୋଇଥିଲା । ଶ୍ରୀମନ୍ଦିରର ଉତ୍କୃଷ୍ଟ ବିକାଶ ପାଇଁ ସମଗ୍ର ହିନ୍ଦୁ ସମାଜ ସହଯୋଗର ହାତ ବଢାନ୍ତୁ । ମୁଁ ମଧ୍ୟ ଶ୍ରୀମନ୍ଦିର ବିକାଶ ପାଇଁ ୧ ଲକ୍ଷ ଟଙ୍କାର ଯୋଗଦାନ ଦେଇ ଗୁଣ୍ଡୁଚି ମୂଷା ସଦୃଶ ବାଲି ଝାଡିବାର ସୌଭାଗ୍ୟ ଲାଭ କଲି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମଗ୍ର ହିନ୍ଦୁ ସମାଜ ଓ ଓଡ଼ିଆ ଭାଇ ଭଉଣୀଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ଶ୍ରୀମନ୍ଦିରର ବିକାଶ ପାଇଁ ସହଯୋଗ କରିବା ଦରକାର । ଏକବିଂଶ ଶତାବ୍ଦୀରେ ଏହି ଦାୟିତ୍ୱକୁ ପୂରା କରିବା ପାଇଁ ଓଡ଼ିଶାବାସୀଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।

Union 0Ministe dharmendra pradhan donates for development of jagannath temple