ଇସ୍ଲାମାବାଦ: ମିଳିତ ଜାତିସଂଘର ସୁରକ୍ଷା ପରିଷଦ ଦ୍ୱାରା ବିଶ୍ୱ ଆତଙ୍କବାଦୀ ରୂପେ ଘୋଷିତ ହୋଇଥିବା ଏବଂ ଭାରତରେ ସଂଘଟିତ ୨୬/୧୧ ଆତଙ୍କବାଦୀ ହାମ୍ଲାର ମାଷ୍ଟର ମାଇଣ୍ଡ ଥିବା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍କୁ ଆଜି ପାକିସ୍ତାନର ଗୁଜରାନ୍ଓ୍ଵାଲା ଅଦାଲତ ଦୋଷୀ ସାବ୍ୟସ୍ତ କରିଛି। ଏଥିସହ ହାଫିଜ୍ ସୟିଦ୍ ନାମରେ ରହିଥିବା ସମସ୍ତ ମାମଲାକୁ ପାକିସ୍ତାନର ଗୁଜୁରାଟ ଅଦାଳତକୁ ସ୍ଥାନାନ୍ତର କରିଛି।
ଉଲ୍ଲେଖଯୋଗ୍ୟ, ଭାରତରେ ସଂଘଟିତ ୨୬/୧୧ ଆତଙ୍କବାଦୀ ହାମ୍ଲାରେ ସଂପୃକ୍ତି ଅଭିଯୋଗରେ କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ଗତ ଜୁଲାଇ ୧୭ ତାରଖରେ ଗିରଫ କରିଥିଲେ। ହାଫିଜ୍ ସୟିଦ୍ ନାମରେ ନିଷିଦ୍ଧ ଘୋଷିତ ସଂଗଠନ ଜମାତ୍- ଉଦ୍- ଦାଓ୍ଵାକୁ ଚଳାଇବା, ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା, ଆଣ୍ଟି ଟେରୋରିଜିମ୍ ଆକ୍ଟ, ୧୯୯୭ ଅଧୀନରେ ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିବା, ଆତଙ୍କବାଦୀ ସଂଗଠନ ଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମନିଲଣ୍ଡରିଂରେ ସଂପୃକ୍ତ ରହିବା ଆଦି ବିଭିନ୍ନ ସଙ୍ଗୀନ୍ ଅଭିଯୋଗରେ ଏକାଧିକ ମାମଲା ରହିଥିଲା।