ଜାତିସଂଘରେ ପାକିସ୍ତାନକୁ ଝଟ୍‌କା: ପୁଲୱାମା ଆକ୍ରମଣର ବଦ୍‌ଲା ନେବାକୁ ଭାରତକୁ ମିଳିଲା ସ୍ୱାଧୀନତା

ୱାଶିଂଟନ୍‌: ଜାତିସଂଘରେ ପାକିସ୍ତାନକୁ ଝଟ୍‌କା ମିଳିଛି । ଜାତିସଂଘର ସୁରକ୍ଷା ପରିଷଦର ସଦସ୍ୟମାନେ ଏକସ୍ୱରରେ ପୁଲୱାମା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ହାତ ରହିଥିବା କଥା କହିଛନ୍ତି। ଏଥିସହ ଭାରତକୁ ଆତଙ୍କବାଦ ବିରୋଧରେ ବଦଲା ନେବାକୁ ଜାତିସଂଘ ସୁରକ୍ଷା ପରିଷଦ ପୂର୍ଣ୍ଣ ସ୍ୱାଧୀନତା ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାତିସଂଘର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ପରମ ବନ୍ଧୁ ଚୀନ୍‌ ମଧ୍ୟ ପୁଲୱାମା ଆକ୍ରମଣକୁ ନିନ୍ଦା ପ୍ରସ୍ତାବରେ ଦସ୍ତଖତ କରି ଭାରତକୁ ସମର୍ଥନ କରିଛି। ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଗୁରୁବାର ବସିଥିଲା। ଏଥିରେ ପୁଲୱାମା ଆକ୍ରମଣ ସମ୍ପର୍କରେ ଏକ ପ୍ରସ୍ତାବ ଆଗତ ହୋଇଥିଲା। ତେବେ ଏଥିରେ ନିର୍ଦ୍ଦିଷ୍ଟ ଭାବେ ପାକିସ୍ତାନର ନାଁ ନଥିଲା। କିନ୍ତୁ ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦର ନାଁ ଏହି ନିନ୍ଦା ପ୍ରସ୍ତାବରେ ରହିଥିଲା। ଜୈଶ ମୁଖ୍ୟ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ କରୁଥିଲେ ହେଁ ପାକିସ୍ତାନରେ ସେ ବେଶ ମୁକ୍ତ ଭାବେ ବୁଲୁଛି ବୋଲି ଏଥିରେ ଲେଖା ହୋଇଥିଲା।