୧୩ ଦିନ ଧରି ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ଟାଳିବାକୁ ତିନି ତିନ ଥର ଆଲୋଚନା ସରିଲାଣି । ତଥାପି ନିଷ୍କର୍ସ ବାହାରି ପାରୁନି । ଯୁଦ୍ଧରେ ୟୁକ୍ରେନ୍ ସେନା ବିପୁଳ କ୍ଷତି ସହିଲାଣି । ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନସ୍କି ଶାନ୍ତି ସେନାକୁ ଫେରାଇ ନେବାକୁ ଡିକ୍ରିରେ ହସ୍ତାକ୍ଷର କରିଛନ୍ତି ।
ୟୁକ୍ରେନ୍ ମିଡିଆ ଅନୁସାରେ, ଜାତିସଂଘର ଶାନ୍ତି ଅଭିଯାନରେ ଥିବା ୟୁକ୍ରେନ୍ ସୈନିକଙ୍କୁ ଫେରାଇ ନେବା ଲାଗି ଜେଲେନସ୍କି ହସ୍ତାକ୍ଷର କରିଛନ୍ତି । ୟୁକ୍ରେନକୁ ଋଷ ଠାରୁ ରକ୍ଷା କରିବା ଲାଗି ଜେଲେନସ୍କି ଶାନ୍ତି ସେନାରୁ ସୈନ୍ୟ ଫେରାଇ ନେବା ଲାଗି ନିଷ୍ପତ୍ତି ନେଇଛନ୍ତି । ସୂଚନା ଅନୁସାରେ, ୟୁକ୍ରେନ୍ ପାଖରେ ପ୍ରାୟ ୨ ଲକ୍ଷ ଯବାନ ରହିଛନ୍ତି । ଯେତେବେଳେ କି ଋଷ ପାଖରେ ୮ ଲକ୍ଷରୁ ଅଧିକ ସକ୍ରିୟ ଯବାନ ଅଛନ୍ତି । ଜାତିସଂଘ ଶାନ୍ତି ସେନାରେ ୟୁକ୍ରେନର ପ୍ରାୟ ୩୦୭ ସୈନ୍ୟ ଅଛନ୍ତି । ଯେଉଁଥିରେ ୮ ମହିଳା ଯବାନ ଥିବା ଜଣାପଡ଼ିଛି ।