ଇରାନରେ ବିମାନ ଦୁର୍ଘଟଣା: ୧୭୦ ଯାତ୍ରୀ ମୃତ

ତେହେରାନ: ଇରାନରେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ସେଥିରେ ଥିବା ୧୭୦ଜଣ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି ।

ପ୍ରକାଶ ଯେ, ବିମାନଟି ଇରାନ୍‌ର ରାଜଧାନୀ ତେହରାନ୍‌ ସ୍ଥିତ ଇମାମ୍ ଖୁମୈନୀ ବିମାନବନ୍ଦର ନିକଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେଣୁ ଏହା ତଳକୁ ଖସି ପଡ଼ିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ ୭୩୭ ବିମାନଟି ୟୁକ୍ରେନ୍‌ ଇଂଟରନ୍ୟାସନାଲ ଏୟାରଲାଇନ୍ସର। ଦୁର୍ଘଟଣା ବେଳେ ବିମାନଟି ୭୯୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ତେଣୁ ଏହା ତଳକୁ ଖସି ପଡ଼ିବାରୁ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ଜୀବିତ ଥିବା ଲୋକଙ୍କ ସନ୍ଧାନ କରିଥିଲେ। ହେଲେ ଏଯାଏ କାହାକୁ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ପାରିନାହିଁ।

ଇରାନର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ମୁଖପାତ୍ର ରେଜା ଜାଫରଜାଦେ କହିଛନ୍ତି, “ଦୁର୍ଘଟଣା ପରେ ବିମାନଟିରେ ନିଆଁ ଲାଗି ଯାଇଥିଲା। କିନ୍ତୁ ଆମେ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ଉଦ୍ଧାରକାରୀ ଦଳ ପଠାଇଛୁ। ହେଲେ ଏଯାଏ କାହାକୁ ବି ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇପାରି ନାହିଁ। ନିଆଁ ଏତେ ଜୋରରେ ଜଳୁଥିଲା ଯେ ଆମେ ବିମାନ ନିକଟକୁ ଯିବା ପାଇଁ ବହୁତ ସଂଘର୍ଷ କରିଥିଲୁ। ଆମ ପାଖରେ ୨୨ଟି ଆମ୍ବୁଲାନ୍ସ ଓ ଗୋଟିଏ ହେଲିକପ୍ଟର ମଧ୍ୟ ରହିଥିଲା। ”

ପୂର୍ବରୁ ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ରେଜା ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଯାତ୍ରୀ ଓ କ୍ରୁ ସଦସ୍ୟଙ୍କୁ ମିଶାଇ ବିମାନରେ ମୋଟ ୧୭୦ ଜଣ ଲୋକ ଥିଲେ।

ଏହି ଦୁର୍ଘଟଣା ପୂର୍ବରୁ ଇରାକ୍‌ରେ ଥିବା ଆମେରିକା ସେନା ବେସ ଉପରେ ଇରାନ୍‌ ମିସାଇଲ୍‌ରେ ଆକ୍ରମଣ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଇରାନ୍ ୧୨ରୁ ଅଧିକ ମିସାଇଲ୍ ମାଡ଼ କରିଥିଲା।

ଇରାକ୍‌ର ଅଲ୍ ଅସଦ୍‌ର ଯେଉଁ ସ୍ଥାନରେ ଇରାନ୍ ମିସାଇଲ୍ ମାଡ଼ କରିଛି, ୨୦୧୮ରେ ସେଠାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯାଇଥିଲେ। ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନର ମେଜେର ଜେନାରାଲ କସିମ ସୁଲେମାନୀ ନିହତ ହେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି।