ଇଂଟେନସିଭ କେୟାର ୟୁନିଟରୁ ବାହାରକୁ ଆସିବେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ

ଲଣ୍ଡନ: କରୋନା ଭାଇରସରେ ଆକ୍ରାନ୍ତ ହୋଇ ଲଣ୍ଡନର ସେଂଟ ଟୋମାସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ତେବେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବା କାରଣରୁ ତାଙ୍କୁ ଗତକାଲି ଇଂଟେନସିଭ୍ କେୟାର ୟୁନିଟରୁ ବାହାର କରାଯାଇଛି । କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ସଙ୍କଟଜନକ ସ୍ଥିତିରେ ପହଂଚିଥିବା ବୋରିସଙ୍କୁ ଗତ ସୋମବାର ଠାରୁ ଡାକ୍ତରଖାନାରେ ଭର୍ତି  କରାଯାଇଥିଲା।

ଜନସନଙ୍କ ଅଫିସ ସୂତ୍ରରୁ ପ୍ରକାଶ ଯେ ଗତ ସନ୍ଧ୍ୟାରେ ତାଙ୍କୁ ଇଂଟେନସିଭ୍ କେୟାର୍ ୟୁନିଟରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି। ଏବେ ସେ ଆରୋଗ୍ୟ ହେବାର ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ଅଧିକ ଧ୍ୟାନ ଦିଆଯିବ। ଜନସନଙ୍କ ମାନସିକ ଅବସ୍ଥା ଅତ୍ୟନ୍ତ ଭଲ ଥିବା କଥା କୁହାଯାଉଛି।

ଦୁଇ ସପ୍ତାହ ତଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ଜନସନ୍ କରୋନାଭାଇରସ୍ ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। ସେତେବେଳେ ତାଙ୍କ ଠାରେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ରବିବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତି  କରାଯିବାର ଦିନକ ପରେ ଆଇସିୟୁକୁ ନିଆଯାଇଥିଲା।

ଦିନେ ଦୁଇ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁଛି। ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଯୋଗ ଦେଉଥିବା ବୈଦେଶିକ ସଚିବ ଡୋମିନିକ୍ ରାବ୍ ଗୁରୁବାର ଦିନ କହିଥିଲେ ଯେ ଜନସନ୍‌ ସୁସ୍ଥ ହେବାକୁ ଯାଉଛନ୍ତି।