ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା:ମହିଳାଙ୍କୁ ମିଳିଲା ସମ୍ମାନ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଗରିବ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ସୁଯୋଗ ଦେଇଛି ବୋଲି ଶୁକ୍ରବାର ନୂଆଦିଲ୍ଲୀ ଠାରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ମାଇକ୍ରୋସେଭ୍‌, ଗେଟ୍ସ୍ ଫାଉଣ୍ଡଡେସନ ଏବଂ କ୍ଲିନଟନ୍ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା: ମହିଳାଙ୍କୁ ମିଳିଲା ସମ୍ମାନ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୮ କୋଟିରୁ ଉର୍ଦ୍ଧ୍ୱ ମହିଳା ଲାଭାର୍ଥୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ମହିଳାଙ୍କ ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବା ସହ ସେମାନଙ୍କ ସଶକ୍ତିକରଣ ଆତ୍ମନିର୍ଭରଶୀଳ ଦିଗରେ ଅଗ୍ରସର କରିବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମୋଦି ସରକାରଙ୍କ ମହତ୍ୱପୂର୍ଣ୍ଣ ଏବଂ ମହତ୍ୱକାଂକ୍ଷୀ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କାରଣରୁ ଗରିବ ମହିଳାଙ୍କ ମଧ୍ୟରେ ଏଲ୍‌ପିଜି ଭଳି ସ୍ୱଚ୍ଛ ଇନ୍ଧନର ନିରନ୍ତର ବ୍ୟବହାର କରିବା ପାଇଁ ଉତ୍ସାହ ବଢିଛି ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ୨୦୧୪ ପର୍ଯ୍ୟନ୍ତ ଦେଶରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ମାତ୍ର ୧୩ କୋଟି ଥିଲା । ମାତ୍ର ମୋଦି ସରକାର ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସାହାଯ୍ୟରେ ଆଜି ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୨୭.୭ କୋଟିକୁ ବୃଦ୍ଧି ପାଇଛି । ଗତ ୫ ବର୍ଷରେ ମୋଦି ସରକାର ଦେଶରେ ପ୍ରାୟ ୯୭ ପ୍ରତିଶତ ଘରେ ଏଲପିଜି ପହଁଚାଇବାର ସଫଳତା ହାସଲ କରିଛନ୍ତି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁସାରେ ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ମହିଳା ଘରୋଇ ଧୂଆଁ କାରଣରୁ ମୃତ୍ୟୁବରଣ କରୁଥିଲେ । ଏହି ବିଷାକ୍ତ ଧୂଆଁକୁ ସମାପ୍ତ କରିବା ମୋଦି ସରକାରଙ୍କ ଲକ୍ଷ୍ୟ ଥିଲା ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏ ଦିଗରେ ବଡ ସକରାତ୍ମକ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି । ସେହିପରି ସଂପ୍ରତି କେନ୍ଦ୍ର ସରକାର ଗରିବଙ୍କ ପାଖରେ ଏଲପିଜିର ବ୍ୟବହାରକୁ ବଢାଇବା ଦିଗରେ ଯୋର ଦେଉଛନ୍ତି । ବର୍ତମାନ ଦେଶର ସାଧାରଣ ଲୋକମାନେ ବାର୍ଷିକ ହାରାହାରି ପ୍ରାୟ ୭ ଥର ଏଲପିଜି ରିଫିଲ କରୁଥିବା ଅପେକ୍ଷା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୮୦ ପ୍ରତିଶତ ଲାଭାର୍ଥୀ ପ୍ରଥମ ବର୍ଷରେ ୪ରୁ ଅଧିକ ରିଫିଲ କରିଛନ୍ତି, ଯାହା ଉତ୍ସାହଜନକ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ ଏଲପିଜିର ବ୍ୟବହାରକୁ ବଢାଇବା ଏବଂ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବାରେ ଉଜ୍ଜଳା ଯୋଜନା ଏକ ମଜବୁତ ଆଧାର ସଦୃଶ ହୋଇଛି । ଉର୍ଜାକୁ ଦେଶର ସବୁ ବର୍ଗର ଲୋକଙ୍କ ପାଖରେ ନିରନ୍ତର ଭାବରେ ସ୍ୱଚ୍ଛ ଓ ଶସ୍ତା ଦାମରେ ଓ ବ୍ୟବସ୍ଥିତ ପଦ୍ଧତିରେ ପହଁଚାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ରହିଛି । ଏଲପିଜି ସାମାଜିକ ପରିବର୍ତନର ଏକ ବଡ ଉତ୍ପେରକ । ଏଥିପାଇଁ ସବୁ ଲୋକଙ୍କ ପାଖରେ ଏଲପିଜିର ଲାଭ ଓ ଏଲପିଜିକୁ ସଠିକ୍ ଭାବରେ ବ୍ୟବହାର କରିବାର ସୂଚନା ପହଁଚାଇବା ଜରୁରୀ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଗରିବ ଲୋକଙ୍କର ଆବଶ୍ୟକତା ଏବଂ ପକେଟ୍‌କୁ ସୁହାଇବା ଭଳି କମ୍ ମାତ୍ରାରେ ଏଲପିଜି ରିଫିଲ୍ ବିକ୍ରି କରିବାର ପ୍ରଣାଳି ଉପରେ ବିଚାରବିମର୍ଷ କରିବା ପାଇଁ ତୈଳ ବିପଣନ କମ୍ପାନୀଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦ୍ୱାରା ମହିଳାମାନେ ସଶକ୍ତିକରଣ ହେବା ଏବଂ ସ୍ୱଚ୍ଛ ଇନ୍ଧନର ବ୍ୟବହାର ଦ୍ୱାରା ସେମାନଙ୍କ ଜୀବନଶୈଳିରେ ଆସିଥିବା ସକରାତ୍ମକ ପରିବର୍ତନ ଉପରେ ଆଲୋଚନା ହୋଇଥିଲା ।