ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡିକର ପୋଷ୍ଟ ଗ୍ରାଜୁଏଟ୍ ଓ ଅଣ୍ଡରଗ୍ରାଜୁଏଟ୍ ଶେଷବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ୩୦ ସୁଦ୍ଧା ଅନୁଷ୍ଠିତ ହେବ । ଏଥି ସହ ଅକ୍ଟୋବର ୩୧ ସୁଦ୍ଧା ଏହାର ଫଳାଫଳ ପ୍ରକାଶ ପାଇବ । ଆଜି ଭିଡ଼ିଓ କନ୍‌ଫେର୍‌ନ୍ସ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କର ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଛି ।

ୟୁଜିସି ମାର୍ଗଦର୍ଶିକା ଅନୁସାରେ ପରୀକ୍ଷା ଅଫଲାଇନ୍‌, ଅନ୍‌ଲାଇନ୍‌, ବ୍ଲେଣ୍ଡେଡ୍ (ଅନ୍‌ଲାଇନ୍ +ଅଫଲାଇନ୍‌) ମଲ୍ଟିପୁଲ୍ ଚଏସ୍ , ଓପନ୍ ବୁକ୍ ଏବଂ ଓଏମ୍‌ଆର୍ ଆଦି ଯେ କୌଣସି ଅନୁମୋଦିତ ପଦ୍ଧତିରେ
କରାଯାଇପାରିବ । ସଂପୃକ୍ତ ବିଶ୍ୱ ବିଦ୍ୟାଳୟ ଓ ସ୍ୱଂୟ ଶାସିତ ମହାବିଦ୍ୟାଳୟମାନେ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ନିଷ୍ପତି ନେବେ ।

ବୈଠକରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ, ଉଚ୍ଚଶିକ୍ଷା ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସଙ୍କ ସମେତ ସମସ୍ତ ବିଶ୍ୱବିଦ୍ୟାଳୟ ର କୁଳପତି, ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ସ୍ୱଂୟ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଭିଡିଓ କନ୍‌ଫେର୍‌ନ୍ସି ମାଧ୍ୟମରେ ଯୋଗ ଦେଇଥିଲେ ।

ୟୁଜିସି ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ , ସେମାନଙ୍କ ନିମନ୍ତେ କୋଭିଡ୍‌-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ/ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍ ଏବଂ ପେପର ମୋଡରେ ଡିସେମ୍ବର, ୨୦୨୦ରେ କରିବା ପାଇଁ ବ୍ୟବସ୍ଥା କରାଯିବ । ଏଥିସହିତ ଫାଇନାଲ୍ ସେମିଷ୍ଟାର ବା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ବ୍ୟାକ୍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।