ମହାରାଷ୍ଟ୍ର: ଆରମ୍ଭ ହେଲା ଠାକରେ ରାଜ୍, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉଦ୍ଧବ ଠାକରେ

ମୁମ୍ବାଇ : ଐତିହାସିକ ଶିବାଜୀ ପାର୍କରେ ବିପୁଳ ଜନ ସମାଗମ ମଧ୍ୟରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଠାକରେ ପରିବାରର ପ୍ରଥମ ବ୍ୟକ୍ତିଭାବେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ଚାଲିଥିବା ରାଜନୈତିକତାର ଅସ୍ଥିରତାର ଅନ୍ତ ହୋଇଛି । ଠାକରେ ହେଉଛନ୍ତି ମହାରାଷ୍ଟ୍ରର ୨୯ତମ ମୁଖ୍ୟମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶୈଳୀରେ ସେ ଶପଥ ନେବା ପରେ ସମବେତ ହୋଇଥିବା ଲୋକମାନଙ୍କୁ ମୁଣ୍ଡନୁଆଁଇ ପ୍ରଣାମ କରିଥିଲେ । ତାଙ୍କ ସହ କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ସେମାନେ ହେଲେ ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଛନ୍ତି ।

ରୋଚକ କଥା ହେଉଛି କଂଗ୍ରେସ ଓ ଏନସିପି ସହ ହାତମିଳାଇ ଧର୍ମନିରପେକ୍ଷତା ଉପରେ ଗୁରତ୍ୱ ଦେବାକୁ ଉଦ୍ଧବ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ଏନସିପି ମୁଖ୍ୟ ଶରଦ ପାଓ୍ଵାର, ଉଦ୍ଧବଙ୍କ କକା ପୁଅ ଭାଇ ରାଜ ଠାକରେ, ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ,ଶିଳ୍ପପତି ମୁକେଶ ଓ ନିତା ଅମ୍ବାନି ପ୍ରମୁଖ ଯୋଗ ଦେଇଥିବାବେଳେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯୋଗ ଦେଇ ନ ଥିଲେ ।