ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ କଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ସମାରୋହ  ସନ୍ଧ୍ୟାରେ ଆୟୋଜନ ହେବ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜନ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ପଠାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଠାକରେଙ୍କ ଦ୍ୱାରା ମୋଦୀଙ୍କୁ ନିମନ୍ତ୍ରଣ ପଠାଯାଇଛି । ଠାକରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶପଥ ଗ୍ରହଣ ସମାରୋହରେ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉଦ୍ଧବ ଠାକରେଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଛନ୍ତି ।

ଦିଲ୍ଲୀରେ ବୁଧବାର ଆଦିତ୍ୟ ଠାକରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଓ ତାଙ୍କୁ ଶପଥ ଗ୍ରହଣ ସମାରୋହରୋହକୁ ଆସିବା ପାଇଁ ନିମନ୍ତ୍ରଣ କରିଛନ୍ତି । ଏହା ବ୍ୟତୀତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଡିଏମକେ ନେତା ଏମକେ ଷ୍ଟାଲିନ, ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ ଦିଆଯାଇଛି । ସୂଚନା ଅନୁସାରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମହାରାଷ୍ଟ୍ରର ନବାଗତ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ।