୨୦ କୋଟି ଟଙ୍କାରେ ପୁନଃରୁଦ୍ଧାର ହେବ ଶିବାଜୀ ଦୁର୍ଗ

ଉଦ୍ଧବ ଠାକରେଙ୍କ ସରକାରଙ୍କ ପ୍ରଥମ ନିଷ୍ପତ୍ତି

ମୁମ୍ବାଇ: ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ କ୍ୟାବିନେଟର ପ୍ରଥମ ବୈଠକରେ ଗୁରୁବାର ରାତି ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଛତ୍ରପତି ଶିବାଜୀ ମହାରାଜଙ୍କୁ ନେଇ ସର୍ବ ପ୍ରଥମ ଓ ବଡ଼ ଘୋଷଣା କରାଯାଇଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଶିବାଜୀଙ୍କ ରାଜଧାନୀ ରାୟଗଡ଼ ଦୁର୍ଗକୁ ପୁନଃରୁଦ୍ଧାର କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପରେ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ସେ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚାଷୀଙ୍କ ମଙ୍ଗଳ ପାଇଁ ଏଯାଏଁ ନିଆଯାଇଥିବା ପଦକ୍ଷେପ ବାବଦରେ ସୂଚନା ମାଗିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶପଥ ନେଇଥିବା ୬ ଜଣ ମନ୍ତ୍ରୀଙ୍କ ସମେତ ଏନସିପି ନେତା ଅଜିତ ପାୱାର ଓ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ସାମ୍ବାଦିକଙ୍କ ସେକ୍ୟୁଲାର ଶବ୍ଦକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ଉଦ୍ଧବ ଠାକରେ ବିରକ୍ତି ପ୍ରକାଶ କରିଥିଲେ ।

ଉଦ୍ଧବ ଠାକରେ କହିଛନ୍ତି ଯେ, ଆମର ସୌଭାଗ୍ୟ ଯେ, କ୍ୟାବିନେଟର ପ୍ରଥମ ବୈଠକରେ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜଧାନୀ ରାୟଗଡ଼ ଦୁର୍ଗ ଉପରେ ନିଷ୍ପତ୍ତି ନିଆଯାଇପାରିଛି । ସେ କହିଛନ୍ତି, ଏହି ପ୍ରକଳ୍ପରେ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରସ୍ତାବକୁ ପାସ କରି ଦିଆଯାଇଛି ।

ଉଦ୍ଧବ ଠାକରେ କ୍ୟାବିନେଟର ପ୍ରଥମ ବୈଠକରେ ଚାଷୀଙ୍କୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ ବନ୍ୟା କାରଣରୁ ରାଜ୍ୟର ଚାଷୀଙ୍କ ଅବସ୍ଥା ଭଲ ନାହିଁ । ତାଙ୍କ ପାଇଁ ଛୋଟ-ମୋଟ ଘୋଷଣାରେ କିଛି ହେବ ନାହିଁ । ମୁଁ ଚାଷୀଙ୍କ ଭଲ ପାଇଁ ସୂଚନା ମାଗିଛି । ଏଥି ସହିତ ଚାଷୀଙ୍କ ସ୍ଥିତି ବାବଦରେ ମଧ୍ୟ ଜାଣିବାକୁ ଚାହିଁଛି ଯେ, ସେମାନଙ୍କ ପାଇଁ କ’ଣ କରାଯାଇ ପାରିବ । ଦିନେ ଦୁଇ ଦିନ ମଧ୍ୟ ଚାଷୀ ସଂପର୍କିତ ଘୋଷଣା ହେବ ।