କାଶ୍ମୀରରେ ୨ ଆତଙ୍କବାଦୀ ସହ ଜଣେ ଡିଏସପି ଗିରଫ

ଅନନ୍ତନାଗ: କାଶ୍ମୀରର କୁଲଗାମ ଜିଲ୍ଲାରେ ୨ଜଣ ଆତଙ୍କବାଦୀଙ୍କ ସହ ଜଣେ ପୋଲିସ ଡେପୁଟି ସୁପରିଂଟେଣ୍ଡେଂଟ(ଡିଏସପି) ଜମ୍ମୁ-କାଶ୍ମୀର ପୋଲିସ ହାତରେ ଗିରଫ ହୋଇଥିବା ଜଣାପଡିଛି ।

ଡିଏସ୍‌ପି ସହ ତାଙ୍କ ମାରୁତି କାର୍‌ରେ ଦୁଇ ଆତଙ୍କବାଦୀ ବସି ଯାଉଥିବା ବେଳେ ଜାତୀୟ ରାଜପଥର ମିର୍‌ବଜାର ନିକଟରେ ପୋଲିସ ଓ ସେନାର ମିଳିତ ଅଭିଯାନରେ ଗିରଫ ହୋଇଛନ୍ତି। ପୋଲିସ ସେ ଗାଡ଼ିକୁ ଅଟକାଇ ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ଗାଡ଼ିରୁ ୫ଟି ଗ୍ରେନେଡ୍‌ ଉଦ୍ଧାର କରିଛି। ଏହାଛଡ଼ା ଡିଏସ୍‌ପିଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଚଢ଼ାଉ କରାଯାଇ ଦୁଇଟି ଏକେ-୪୭ ରାଇଫଲ୍‌ ଉଦ୍ଧାର କରାଯାଇଛି। ଆତଙ୍କବାଦୀମାନଙ୍କ ସହ ଜଣେ ପୋଲିସ ଅଧିକାରୀ ଗିରଫ ହେବାରେ ଏହା ହେଉଛି ପ୍ରଥମ ଘଟଣା। ଗିରଫ ଡିଏସ୍‌ପିଙ୍କ ନାମ ଦବିନ୍ଦର ସିଂହ। ଗତବର୍ଷ ଅଗଷ୍ଟ ୧୫ରେ ତାଙ୍କୁ ରାଷ୍ଟ୍ରପତି ପଦକ ମିଳିଥିଲା।

ଗିରଫ ହୋଇଥିବା ଦୁଇ ହିଜ୍‌ବୁଲ୍‌ ମୁଜାହିଦୀନ୍‌ ଆତଙ୍କବାଦୀଙ୍କ ମଧ୍ୟରୁ ମୋଷ୍ଟ୍‍ ୱାଂଟେଡ୍ ଜଣକ ହେଉଛି ସୟେଦ୍‌ ନୱୀଦ୍ ଦ ବାବା। ୨୦୧୭ରେ ଉଗ୍ରବାଦୀ ସଂଗଠନରେ ଯୋଗ ଦେଇଥିବା ବାବା ଟ୍ରକ୍‌ ଚାଳକ ଓ ସ୍ଥାନୀୟ ଲୋକମାନଙ୍କୁ ଆକ୍ରମଣ କରୁଥିଲା। ସେ ଶୋପିଆନ୍‌ର ନାଜ୍‌ନୀନ୍‌ପୋରା ବାସିନ୍ଦା ଏବଂ ‘ଆଇଇଡି’ ବିଶେଷଜ୍ଞ। ଗିରଫ ହୋଇଥିବା ଅନ୍ୟ ଜଣେ ଆତଙ୍କବାଦୀ ହେଉଛି ଅସିଫ୍‌ ରାଠର।