କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀକୁ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର:ଆସନ୍ତାକାଲି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନ ପୁରୀରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ପ୍ରତ୍ୟେକ ବର୍ଷ ଅନେକ ଯାତ୍ରୀ ଟ୍ରେନରେ ପୁରୀକୁ ଆସିଥାନ୍ତି । ଯାତ୍ରୀମାନଙ୍କ ଭିଡ଼କୁ ନଜରରେ ରଖି ପୂର୍ବତଟ ରେଳବଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏନେଇ ଆଜି ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି।

ଗୋଟିଏ ଟ୍ରେନ ପୁରୀ ଠାରୁ ପଲାସା ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ପୁରୀରୁ ଦିନ ୨ଟାରେ ଛାଡି ପଲାସା ଅଭିମୁଖେ ଯାତ୍ରା କରିବ । ଆହୁରି ମଧ୍ୟ ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜରକୁ ଆସନ୍ତାକାଲି ପାଇଁ ନୟାଗଡ଼ ଟାଉନକୁ ସମ୍ପ୍ରସାରିତ କରାଯିବ । ଏହା ଖୋର୍ଦ୍ଧା ରୋଡ଼ ଓ ନୟାଗଡ଼ ଟାଉନ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ ଭାବେ ଚଳାଚଳ କରିବାନେଇ ରେଳବାଇ ନିଷ୍ପତି ନେଇଛି । 

ଏତତ୍ ବ୍ୟତୀତ, ଯାତ୍ରୀଙ୍କୁ ଅଣସଂରକ୍ଷିତ ସ୍ଲିପର କ୍ଲାସ ସୁବିଧା ପ୍ରଦାନ କରିବା ପାଇଁ ପୂର୍ବତଟ ରେଳବାଇ ଆହୁରି ୩ଟି ଟ୍ରେନରେ ଏହି ସୁବିଧା ପ୍ରଦାନ କରିବ ।   ଯାତ୍ରୀମାନେ ଆସନ୍ତା ଫେବୃୟାରୀ ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ସାଧାରଣ ଦ୍ୱିତୀୟ ଶ୍ରେଣୀଠାରୁ ମାତ୍ର ଅଳ୍ପ କିଛି ଟଙ୍କା ଅଧିକ ଦେୟ ଦେଇ ଆହୁରି ୩ଟି ଟ୍ରେନରେ ଅଣସଂରକ୍ଷିତ ସ୍ଲିପର କ୍ଲାସରେ ଯାତ୍ରା କରିପାରିବେ ।