ହାଇକୋର୍ଟର ଦୁଇ ବିଚାରପତି ଶପଥ ନେଲେ

କଟକ : ଓଡ଼ିଶା ହାଇକୋର୍ଟର ଦୁଇ ଜଣ ସ୍ଥାୟୀ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମାଡ୍ରାସ୍ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଥିବା ବିଚାରପତି ଶତୃଘ୍ନ ପୂଜାହାରୀ ଓ ହାଇକୋର୍ଟ ରେଜିଷ୍ଟ୍ରାର୍ ଜେନେରାଲ୍ରୁ ବିଚାରପତି ଭାବେ ନିଯୁକ୍ତି ପାଇଥିବା ବିଚାରପତି ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଶପଥ ପାଠ କରାଇଛନ୍ତି । ହାଇକୋର୍ଟର ନିଉ କନ୍ଫରେନ୍ସ ହଲ୍ରେ ପୂର୍ବାହ୍ଣ ୧୦.୧୫ ମିନିଟ୍ରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ ଅସୀତ୍ ତ୍ରିପାଠୀ ପ୍ରଥମେ ମହାମହିମ ରାଷ୍ଟ୍ରପତି ଭବନରୁ ଆସିଥିବା ଉଭୟ ବିଚାରପତିଙ୍କ ନିଯୁକ୍ତି ପତ୍ର ପାଠ କରିଥିଲେ । ଏହା ପରେ ମୁଖ୍ୟ ବିଚାରପତି ଶ୍ରୀ ଜାଭେରୀ ବରିଷ୍ଠତା ଭିତ୍ତିରେ ପ୍ରଥମେ ଶ୍ରୀ ପୂଜାହାରୀ ଓ ପରେ ବିଚାରପତି ଶ୍ରୀ ମିଶ୍ରଙ୍କୁ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ବିଚାରପତି ସଞ୍ଜୁ ପଣ୍ଡା, ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ, ବିଚାରପତି ଜେ.ପି ଦାସ, ପୂର୍ବତନ ବିଚାରପତି ଏ.ଏସ୍ ନାଇଡୁ, ବିଚାରପତି ପ୍ରଦୀପ୍ତ କୁମାର ମହାନ୍ତି, ବିଚାରପତି ବି.କେ ପଟେଲ, ବିଚାରପତି ପ୍ରଫୁଲ କୁମାର ତ୍ରିପାଠୀ, ବିଚାରପତି ଡି.ପି ଚୌଧୁରୀ, ଆଡ୍ଭୋକେଟ୍ ଜେନେରାଲ୍ ସୂର୍ଯ୍ୟ ପ୍ରସାଦ ମିଶ୍ର, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଶ୍ରୀକ୍ରୀଷ୍ଣା ଦେବା ରାଓ, ପୁଲିସ୍ କମିଶନର ସତ୍ୟଜିତ୍ ମହାନ୍ତି, ଡିସିପି ଅଖିଳେଶ୍ୱର ସିଂ, ରାଜ୍ୟ ଆଇନଜିବୀ ପରିଷଦର ଅଧ୍ୟକ୍ଷ ଟହଲି ଚରଣ ମହାନ୍ତି, ହାଇକୋର୍ଟ ବାର୍ ଆସୋସିଏସନ୍ର ସମ୍ପାଦକ ସତ୍ୟବ୍ରତ ମହାନ୍ତି, ହାଇକୋର୍ଟ ବାର୍ର ପୂର୍ବତନ ସଭାପତି ଅଶୋକ ମହାପାତ୍ର, ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ସୌର୍ଯ୍ୟ ସୁନ୍ଦର ଦାସ, ଉମାକାନ୍ତ ନନ୍ଦ, ବିଭୁ ପ୍ରସନ୍ନ ମହାପାତ୍ରଙ୍କ ସମେତ ବହୁ ଆଇନଜୀବୀ ଯୋଗ ଦେଇଥିଲେ ।

ଶପଥ ଗ୍ରହଣ ଉତ୍ସବ ସମ୍ପନ୍ନ ହେବା ପରେ ଦୁଇ ବିଚାରପତି ଭିନ୍ନ ଭିନ୍ନ ଖଣ୍ଡପୀଠରେ ମାମଲାର ଶୁଣାଣି କରିଥିଲେ । ବିଚାରପତି ଶ୍ରୀ ପୂଜାହାରୀ ଓ ବିଚାରପତି ଶ୍ରୀ ମିଶ୍ରଙ୍କୁ ମିଶଶଇ ବର୍ତ୍ତମାନ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି । ସୂଚନା ଥାଉକି ଓଡ଼ିଶା ହାଇକୋର୍ଟରେ ୨୭ ଜଣ ବିଚାରପତିଙ୍କ ଆବଶ୍ୟକତା ଥିବାବେଳେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମାତ୍ର ୧୪ ଜଣ ବିଚାରପତି ଅଛନ୍ତି ।