କୋଲକାତାରେ ୨ କୋରୋନା ରୋଗୀ

କୋଲକତା: ଚୀନରୁ ଉତ୍ପତି ହୋଇଥିବା କୋରୋନା ଭାଇରସ୍ କୁ ନେଇ ବିଶ୍ୱବ୍ୟାପି ଚିନ୍ତା ଲାଗିରହିଛି । ତେବେ ଏହି ଭାଇରସ୍ ଏବେ ଭାରତରେ ମଧ୍ୟ ଆରମ୍ଭ ହେବାରେ ଲାଗିଛି । କିଛିଦିନ ପୂର୍ବେ କୋରୋନା ଭାଇରସର ରୋଗୀ କେରଳରେ ଚିହ୍ନଟ କରାଯାଇଥିବାବେଳେ ଆଜି କୋଲକାତାରେ ମଧ୍ୟ ଏହି ଭାଇରସ୍ ଆକ୍ରାନ୍ତ ରୋଗୀକୁ ଚିହ୍ନଟ କରାଯାଇଥିବା ଖବର ମିଳିଛି । ବ୍ୟାଙ୍କକରୁ କୋଲକାତାର ଏନଏସସିବିଆଇ ଏୟାରପୋର୍ଟରେ ଓହ୍ଲାଇଥିବା ୨ଜଣଙ୍କୁ କୋରୋନା ଭାଇରସ୍ ଆକ୍ରାନ୍ତ କରିଥିବା ଚିହ୍ନଟ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତୃପକ୍ଷ ।

ଏନଏସସିବିଆଇ ଏୟାରପୋର୍ଟରେ ନିର୍ଦ୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି, ‘ମଙ୍ଗଳବାର ହିମାଦ୍ରୀ ବରମନ ଓ ବୁଧବାର ନଗେନ୍ଦ୍ର ସିଂହ ନାମକ ଦୁଇ ଯାତ୍ରୀ କୋରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିଛି। ଏମାନଙ୍କୁ ବେଲଘାଟ ଆଇଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଇ ଯାତ୍ରୀ ବ୍ୟାଙ୍କକରୁ ଏଠାକୁ ଆସିଥିଲେ। ସେମାନଙ୍କ ରକ୍ତ ନମୁନା ପରୀକ୍ଷା କରିବା ପରେ ସେମାନେ ଭୟଙ୍କର କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

ଏହାପୂର୍ବରୁ ଥର୍ମାଲ ସ୍କ୍ରିନିଂ ବେଳେ ଅନୀତା ନାମକ ଜଣେ ଯାତ୍ରୀ କୋରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଚାଇନା ଓ କୋଲକାତା ମଧ୍ୟରେ ସିଧାସଳଖ ସେବା ଯୋଗାଉଥିବା ଦୁଇଟି ଯାକ ଏୟାରଲାଇନ୍ସ ସେମାନଙ୍କ ବିମାନ ଉଡ଼ାଣ ରଦ୍ଦ କରିଛନ୍ତି। ଇଣ୍ଡିଗୋ ଫେବୃଆରୀ ୬ରୁ ଅସ୍ଥାୟୀ ଭାବେ ଚାଇନାକୁ ଉଡ଼ାଣ ବନ୍ଦ ରଖିଛି।

ଇଣ୍ଡିଗୋ ପରେ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ମଧ୍ୟ ତା’ର ଉଡ଼ାଣ ବନ୍ଦ କରିଥିଲା। ଫେବୃଆରୀ ୧୦ରୁ ଫେବୃଆରୀ ୨୯ ଯାଏ ଉଡ଼ାଣ ସେବାକୁ ବନ୍ଦ ରଖିବାକୁ ନିଷ୍ପତି ହୋଇଛି। ଜାନୁଆରୀ ୧୭ରୁ ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଏୟାରପୋର୍ଟରେ ସ୍କ୍ରିନିଂ କରାଯାଉଛି।”