କଟକରେ ୨ ନୂଆ କୋଭିଡ କେୟାର ସେଣ୍ଟର

କଟକ: କଟକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି କଟକ ମହାନଗର ପକ୍ଷରୁ ସହରରେ ଆଉ ଦୁଇଟି କୋଭିଡ କେୟାର ସେଣ୍ଟରର ବ୍ୟବସ୍ଥା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସିଏମସି ଡେପୁଟି କମିଶନର ।

କଟକ ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ଅଲମ୍ପିକ ଆସୋସିଏସନ ବିଲ୍ଡିଂ ଓ ଇଣ୍ଡୋର ଷ୍ଟାଡିୟମରେ କୋଭିଡ କେୟାର ସେଣ୍ଟର ଖୋଲା ଯାଇଛି। ଅଲମ୍ପିକ ଆସୋସିଏସନ ବିଲ୍ଡିଂ ରେ ୭୫ ଟି ବେଡ଼ର ବ୍ୟବସ୍ଥା କରାଯାଇଥିଲାବେଳେ ଇଣ୍ଡୋର ଷ୍ଟାଡିୟମରେ ୫୦ ଟି ବେଡ଼ ର ସୁବିଧା କରାଯାଇଛି।

ଏହି  ସେଣ୍ଟରରେ କେବଳ ଲକ୍ଷଣ ନଥିବା କିମ୍ବା ସାମାନ୍ୟ ଲକ୍ଷଣ ଦେଖାଯାଇଥିବା ସହରର କରୋନା ରୋଗୀ ରହିପାରିବେ। ଏଥିପାଇଁ କୋଭିଡ କେୟାର ସେଣ୍ଟର ଗୁଡିକରେ ଡାକ୍ତର, ଷ୍ଟାଫ ନର୍ସ, ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହି ସେଣ୍ଟରରେ ରୋଗୀ ମାନଙ୍କ ପାଇଁ ଖାଦ୍ୟ ଯୋଗାଇ ଦିଆଯିବ।

ସେହିପରି ସହରର ଯେଉଁମାନଙ୍କର ଘରେ ରହିବା ପାଇଁ ସୁବିଧା ନାହିଁ ସେମାନଙ୍କୁ ହିଁ ଏହି ସୁବିଧା ପ୍ରଦାନ କରାଯିବ। ତେବେ ଏହି ସେଣ୍ଟର ଗୁଡିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସିଏମସି ଡେପୁଟି କମିଶନର କହିଛନ୍ତି ।