ଭୁବନେଶ୍ୱର: ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଶୁକ୍ରବାର ଆଉ ୨ ଜଣଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟ୍ରେ ତଥ୍ୟ ଦିଆଯାଇଛି।
ଏହି ତଥ୍ୟ ଅନୁଯାୟୀ ୧୦ ତାରିଖ ବା ଶୁକ୍ରବାର ଦିନ ମୋଟ ୨୯୮ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୨୯୬ ଜଣଙ୍କ ନମୁନା ନେଗେଟିଭ୍ ଆସିଛି। ଅନ୍ୟପକ୍ଷରେ ଏଯାଏ ମୋଟ ୩୫୪୭ ନମୁନା ପରୀକ୍ଷା ସରିଲାଣି। ଏଥିରୁ ୩୪୯୭ ନମୁନା ନେଗେଟିଭ୍ ଆସିଥିବାବେଳେ ୫୦ ପଜିଟିଭ୍ ରହିଛି।
ତେବେ କରୋନାର କରାଳ ଭିତରେ ଶୁକ୍ରବାର ଓଡ଼ିଶା ପାଇଁ ସାମାନ୍ୟ ଖୁସିର ବାର୍ତା ମଧ୍ୟ ଆସିଥିଲା। ରାଜ୍ୟରେ କରୋନା ଭତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ୧୦ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଶୁକ୍ରବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।