ଅଗଷ୍ଟ ଶେଷ ସୁଦ୍ଧା ଓଡ଼ିଶାର ଚାଷୀଙ୍କୁ ଫସଲ ବୀମାରାଶି : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ଓ ଜୁଏଲ୍

ଭୁବନେଶ୍ୱର : ଅଗଷ୍ଟ ମାସ ଶେଷ ସୁଦ୍ଧା ଓଡ଼ିଶାର ଚାଷୀମାନଙ୍କୁ ଫସଲ ବୀମାରାଶି ମିଳିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ଚାଷୀମାନଙ୍କର ବକେୟା ରାଶି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୁଷ ଗୋୟେଲଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣର ବରିଷ୍ଠ ଅଧିକାରୀ, ଫାଇନାନ୍ସିଆଲ ସର୍ଭିସେସ ବିଭାଗର ଅଧିକାରୀ ତଥା ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ଚାଷୀମାନଙ୍କୁ କିଛି ବୀମା ରାଶି ମିଳିବା ପ୍ରକ୍ରିୟା ଦୁଇ ତିନି ଦିନ ମଧ୍ୟରେ ଆରମ୍ଭ ହୋଇଯିବ । ଯେଉଁ ବୀମାରାଶିକୁ ନେଇ ବିବାଦ ରହିଛି, ତାହାର ଶୀଘ୍ର ସମାଧାନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ଚାଷୀମାନଙ୍କୁ ଆଗାମୀ ୨୦ରୁ୨୫ ଦିନ ମଧ୍ୟରେ ଏହି ରାଶି ମିଳିବ । ଅଗଷ୍ଟ ଶେଷ ସୁଦ୍ଧା ସବୁ ଚାଷୀଙ୍କୁ ବୀମାରାଶି ମିଳିଯିବ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିୟମ ଅନୁସାରେ ରାଜ୍ୟ ସରକାର ଟେଣ୍ଡର୍ କରି ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀକୁ ଏହି କାମ ଦେଇଥାନ୍ତି । ଦୁଇଟି ରାଷ୍ଟ୍ରାୟତ୍ତ କମ୍ପାନୀ ଓ ଦୁଇଟି ଘରୋଇ କମ୍ପାନୀକୁ କାମ ଦିଆଯାଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ପ୍ରିମିୟମ୍ ଦେଇଥିଲେ । ମାତ୍ର ଫସଲ କଟା ପରେ ସମନ୍ୱୟ ଅଭାବରୁ ଚାଷୀଙ୍କୁ ଫସଲ ବୀମା ମିଳି ପାରିନାହିଁ । ଏଗ୍ରିକଲଚରାଲ୍ ଇନସ୍ୟୁରାନ୍ସ କମ୍ପାନୀକୁ ୧୫୬ କୋଟି ଟଙ୍କା ପ୍ରଦାନ କରିବାକୁ ଥିବା ବେଳେ କମ୍ପାନୀ ସେଥିମଧ୍ୟରୁ ୧୫୪ ଟଙ୍କା ପ୍ରଦାନ କରି ସାରିଛି । ସେହିପରି ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ଉପରେ ମୋଟ ରାଶି ୭୯୮ କୋଟି ଟଙ୍କା ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୧୯୯.୧୯ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି । ଖରିଫ -୨୦୧୭ ପାଇଁ ଦିଆଯିବାକୁ ଥିବା ୩୫୨ କୋଟି ପ୍ରଦାନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି ତଥା ଖୁବ ଶୀଘ୍ର ଏହି ରାଶି ପ୍ରଦାନ କରାଯିବ । ସେହିପରି ବଳକା ୧୭୩ କୋଟି ଟଙ୍କାର ବୀମା ରାଶି ପ୍ରଦାନ ନେଇ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଉଛି । ଯେଉଁ ରାଶି ପ୍ରଦାନ ନେଇ ବିବାଦ ରହିଛି, ତା’ର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ କୃଷି ଓ କୃଷକ ମନ୍ତ୍ରାଳୟ, ଫାଇନାନ୍ସିଆଲ ସର୍ଭିସେସ୍ ବିଭାଗ, ଓଡ଼ିଶା ସରକାର ଓ ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧି ରହିବେ । ବେସରକାରୀ କମ୍ପାନୀ ଟାଟା ଏଆଇଜି ଇନସ୍ୟୁରାନ୍ସ ଲିମିଟେଡ୍ ଓ ଚୋଳ ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନୀର ଅଧିକାରୀଙ୍କୁ ଡ଼ାକି ଚାଷୀଙ୍କ ବକେୟା ରାଶି ପ୍ରଦାନ କରିବାକୁ ତାଗିଦ କରାଯିବ ବୋଲି ସେ କହିଛନ୍ତି ।