ବଜ୍ରପାତରେ ୨ ମୃତ; ୨ ଗୁରୁତର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ରବିବାର ବଜ୍ରପାତରେ ୨ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆନନ୍ଦପୁର ବ୍ଲକର ବାଉଁସଗଡ଼ ଗାଁର ଭାଗବତ ନାୟକ ଓ ଦୁଃଶାସନ ନାୟକ ଆଜି ଆନନ୍ଦପୁର ପୌରାଞ୍ଚଳ ଅନ୍ତର୍ଗତ ପଦ୍ମପୁର ଗାଁରେ ବିଲାତି କ୍ଷେତରେ କାମ କରିବାକୁ ଯାଇଥିଲେ। ସେମାନେ ବିଲାତି କ୍ଷେତରେ କାମ କରୁଥିବା ବେଳେ ବଜ୍ରପତା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଭାଗବତ ଓ ଦୁଃଶାସନଙ୍କ ମୃତ୍ୟୁ ଘଟିଛି। ଭାଗବତ ଓ ଦୁଃଶାସନଙ୍କ ମୃତ୍ୟୁ ପରେ ବାଉଁସଗଡ଼ ଗାଁରେ ଶୋକର ଛାୟା ଖେଳି ଯାଇଛି।

ବଜ୍ରପାତ ସମୟରେ ପଦ୍ମପୁର ଗାଁର ସୁଦର୍ଶନ ନାୟକ ଓ ଲିପୁ ସାହୁ ସେଠାରେ ଉପସ୍ଥିତ ଥିଲେ। ସୁଦର୍ଶନ ଓ ଲିପୁ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକଙ୍କର ସହାୟତାରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ସେମାନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି।