ସମ୍ପର୍କୀୟ ଦିଅର-ଭାଉଜଙ୍କ ଆତ୍ମହତ୍ୟା; ପ୍ରେମ ସମ୍ପର୍କ ସନ୍ଦେହ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗ୍ରାମରେ ଗୋଟିଏ ଘରୁ ୨ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଏହି ଦୁଇଜଣ ସମ୍ପର୍କୀୟ ଦିଅର ଓ ଭାଉଜ ବୋଲି ଜଣାପଡିଛି । ମୃତକ ହେଉଛନ୍ତି ନୂଆବନ୍ଧ ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ(୨୫) ଏବଂ ଉକ୍ତ ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଜୟ ନାଏକ(୨୪)। ତେବେ ପୁଷ୍ପଲତା ଓ ସଞ୍ଜୟଙ୍କ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ରହିଥିଲେ ବି ପ୍ରେମ ସମ୍ପର୍କ କାରଣ ବୋଲି ସନ୍ଦେହ କରାଯାଉଛି ।

ସଞ୍ଜୟ ଅବିବାହିତ ଓ ସେ ଯୋଡ଼ାରେ ରହୁଥିଲେ। ଗତକାଲି ଘରକୁ ଆସି ଡ୍ରେସ କିଣାକିଣି କରି ଘରକୁ ମାଂସ ଆଣି ଖାଇପିଇ ସାଙ୍ଗ ମାନଙ୍କ ସହ ଶୋଇବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତ୍ରିରେ ତାଙ୍କର ବାନ୍ତି ହୋଇଥିଲା। ତା’ପରେ ସେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ।

ଅନ୍ୟପଟେ ପୁଷ୍ପଲତା ତାଙ୍କ ଘରେ ନିଜର ଏକ ମାତ୍ର ୬ବର୍ଷର ଝିଅ ସହିତ ଶୋଇଥିଲେ। ସକାଳେ ଉଠିବାରେ ବହୁ ବିଳମ୍ବ ହେବାରୁ ବାହାର ପଟୁ ଡାକ ଦେବାରୁ ତାଙ୍କ ଝିଅଟି ଉଠିଥିଲା। ଏହାପରେ  ପୁଷ୍ପଲତା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ପାଖରେ ଏକ କୀଟନାଶକ ବୋତଲ ପଡ଼ିଥିବା ଦେଖା ଯାଇଥିଲା । ମୃତଦେହ ନିକଟରେ କୀଟନାଶକ ଔଷଧ ପଡ଼ିଥିବା ହେତୁ ପ୍ରେମଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ ଉଭୟଙ୍କ ଭିତରେ କିଛି ଦିନ ହେବ ପ୍ରେମ ସଂପର୍କ ଗଢ଼ିଉଠି ଥିଲା। କିନ୍ତୁ ଏହାକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହିଥିଲା।

ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ  ପହଂଚି ପୁଷ୍ପଲତା ଓ ସଞ୍ଜୟଙ୍କ ମୃତଦେହକୁ ଜବତ କରିବା ସହିତ ମୃତଦେହ ନିକଟରୁ କୀଟନାଶକ ବୋତଲ ଜବତ କରିଛି।ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି।