ବିଚ୍‌ ଫେଷ୍ଟିଭାଲ୍‌ରେ ମାଡ଼ି ଆସିଲା ସମୁଦ୍ର ୧୭୦ ମୃତ୍ୟୁ, ୭ଶହରୁ ଅଧିକ ଆହତ

ସନଡା : ଇଣ୍ଡୋନେସିଆରେ ସୁନାମିରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଅଧିକ ଆହତ ହୋଇଛନ୍ତି। ସୁନାମିରେ ସନଡା ଷ୍ଟ୍ରେଟ ଧ୍ବଂସସ୍ତୁପରେ ପରିଣତ ହୋଇଛି। ସୁନାମି ସମୟର ଭିଡିଓରୁ ଦେଖାଯାଉଛି କେମିତି ପାଣି କରାଳ ରୂପ ଧାରଣ କରି ସବୁକିଛିକୁ ଏକାକାର କରିଦେଉଛି।

ଚାଲିଥିଲା ବିଚ୍‌ ଫେଷ୍ଟିଭାଲ୍‌। ହେଲେ ହଠାତ ମାଡ଼ି ଆସିଲା ସମୁଦ୍ର। ଆଉ ତାପରେ କାହାର କିଛି ଖୋଜ ଖବର ନାହିଁ। ଇଣ୍ଡୋନେସିରା ଜାଭା ଦୀପର ବ୍ୟାଣ୍ଟେନ ପାଣ୍ଡେଗ୍ଲାଙ୍ଗରେ ଏମିତି କିଛି ଧ୍ବଂସଲୀଳା ରଚାଇଛି ସୁନାମି। ବଡ଼ କଥା ହେଲା ସୁନାମି ନେଇ ପୂର୍ବରୁ କିଛି ସତର୍କତା ଦିଆଯାଇନଥିଲା ହଠାତ ମାଡ଼ି ଆସିଥିଲା ପାହାଡ଼ ଉଚ୍ଚା ଜୁଆର ଆଉ ସହରରେ ପଶି ଧ୍ବଂସଲୀଳା ରଚାଇଥିଲା। କୁହାଯାଉଛି ଅନକ କ୍ରକାଟୋଆ ଅଗ୍ନେୟଗିରରୁ ଅଗ୍ନିଉଦ୍ଗୀରଣ ସହିତ ସମୁଦ୍ର ତଳେ ଲ୍ୟାଣ୍ଡ ସ୍ଲାଇଡ ହୋଇଥିଲା। ଆଉ ଏଥିପାଇଁ ସୁନାମି ଆସିଥିବା ଅନୁମାନ କରାଯାଉଛି।

୧୮୮୩ ମସିହାରେ କ୍ରାକାଟୋଆ ଅଗ୍ନେୟଗିରି ପାଇଁ ଏହି ଅଞ୍ଚଳରେ ବିଶାଳ ସୁନାମି ଆସିଥିଲାସେତେବେଳେ ୩୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା। ଇଣ୍ଡୋନେସିଆରେ ଏହି ବର୍ଷ ଦୁଇଥର ସୁନାମି ଆସିସାରିଲାଣି। ଏଠାରେ ଆମେରିକା ଚଳାଉଥିବା ସୁନାମି ରିସର୍ଚ୍ଚକୁ ବନ୍ଦ ରଖାଯିବାକୁ ଅନେକ ଦାୟୀ କରିଛନ୍ତି।  ସେହିପରି କାଲି ପୂର୍ଣ୍ଣମୀ ଥିବାରୁ ଜୁଆର ମାତ୍ରା ଆହୁରି ଅଧିକ ହୋଇଥିଲା। ତେବେ ବିଶାଳ ଜୁଆର ସାଙ୍ଗକୁ ଅଧିକ କ୍ଷୟକ୍ଷତି ଘଟିଛି ଲେଉଟାଣି ଜୁଆର ସମୟରେ। ଦେଖନ୍ତୁ କେମିତି ଭାଙ୍ଗିରୁଜି ଯାଇଛି ଘରଦ୍ବାର। କିଏ କେଉଁଆଡ଼େ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ, ହାହାକାର ପଡ଼ିଯାଇଥିଲା। ୩୦ ଜଣଙ୍କର ଏଯାଏଁ ପତ୍ତା ମିଳୁନାହିଁ। ଯେଉଁ କନସର୍ଟର ଚିତ୍ର ପ୍ରଥମେ ଦେଖୁଥିଲେ ସେହି କନସର୍ଟ ଟିମ୍‌ର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣଙ୍କର ପତ୍ତା ମିଳୁନାହିଁ। ଏବେ ଲୋକହ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରିବା ସେମାନଙ୍କୁ ଖାଦ୍ୟ ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ବଡ଼ ଚ୍ୟାଲେଞ୍ଜ। ତେବେ ରାସ୍ତା ଧୋଇଯାଇଥିବାରୁ କିଛି ଅଞ୍ଚଳକୁ ଯିବା ମଧ୍ୟ ସମସ୍ୟା ଉପୁଜିଛି। ଯାହାକି ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ବଳବତ୍ତର ରଖିଛି।