କରୋନାର ନୂତନ ନାମ ରଖିଲେ ଟ୍ରମ୍ପ୍

ୱାସିଂଟନ୍: ଶନିବାର ଦିନ କରୋନାଭାଇରସ୍‌କୁ ‘କୁଙ୍ଗ୍ ଫ୍ଲୁ’ କହି ବିଶ୍ୱରେ ଏହାର ବିସ୍ତାର ପାଇଁ ପୁଣି ଚୀନ୍‌ ଉପରେ ଦୋଷାରୋପ କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରା‌ଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍। କରୋନାଭାଇରସ୍ ସମଗ୍ର ବିଶ୍ୱରେ ପ୍ରାୟ ୪୫୦, ୦୦୦ ଲୋକଙ୍କର ମୃତ୍ୟୁର କାରଣ ‌ହୋଇଥିବା ବେଳେ ଆହୁରି ୮. ୫ ନିୟୁତରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି।

ଗତବର୍ଗ ଡିସେମ୍ବର ମାସରେ କେନ୍ଦ୍ରୀ ଚୀନ୍‌ ସହର ଊହାନ୍‌ ଉତ୍ପତ୍ତି ହୋଇଥିବା କରୋନାଭାଇରସ୍ ମହାମାରୀ ନିମନ୍ତେ ଟ୍ରମ୍ପ୍ ଥରକୁ ଥର ଚୀନ୍‌କୁ ଦାୟୀ କରିଆସୁଛନ୍ତି। ଚୀନ୍‌ ଦୋଷ ଦେଇ ଟ୍ରମ୍ପ୍ କହୁଛନ୍ତି ଯେ, ବେଜିଙ୍ଗ୍ କରୋନାଭାଇରସ୍ ସଂକ୍ରମଣର ସବିଶେଷ ତଥ୍ୟ ଚାପି ରଖିଲା।

ପୂର୍ବରୁ ଉତ୍ପତ୍ତିସ୍ଥଳକୁ ଆଧାର କରି ଟ୍ରମ୍ପ୍ ପ୍ରଶାସନର ଅଧିକାରୀମାନେ କରୋନାଭାଇରସ୍‌କୁ ‘ଊହାନ୍ ଭାଇରସ୍’ ନାଁରେ ଡାକୁଥିଲେ। ଶନିବାର ଦିନ ଓକ୍‌ଲାହୋମା ଅନ୍ତର୍ଗତ ଟୁଲ୍‌ସା ଠାରେ ତାଙ୍କର ପ୍ରଥମ ନିର୍ବାଚନ ପ୍ରଚାର ରାଲିରେ ଉଦ୍‌ବୋଧନ ଦେଇ ଟ୍ରମ୍ପ୍ କହିଲେ ଯେ, କୋଭିଡ୍-୧୯ ହେଉଛି ଗୋଟାଏ ରୋଗ ଏବଂ ଇତିହାସରେ ଯେକୌଣସି ରୋଗ ଅପେକ୍ଷା ଏହାର ଅଧିକ ନାମ ଅଛି।

ମୁଁ ଏହାକୁ ‘କୁଙ୍ଗ୍‌-ଫ୍ଲୁ’ କହିପାରିବି। ମୁଁ ଏହାର ଭିନ୍ନ ଭିନ୍ନ ୧୯ଟି ନାଁ ଦେଇପାରିବି। ଭୂତାଣୁ ହୋଇଥିବାରୁ ଅନେକେ ଏହାକୁ ‘ଭୂତାଣୁ’ କହୁଛନ୍ତି। ଅନେକେ ଏହାକୁ ଫ୍ଲୁ କହୁଛନ୍ତି। ହେଲେ ଫରକ କ’ଣ? ମୋର ମନେହୁଏ ଆମେ ଏହାର ୧୯/୨୦ଟା ନାଁ ଦେଇଛୁ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ‘କୁଙ୍ଗ୍ ଫୁ’ ହେଉଛି ଚୀନ୍‌ର ଏକ ଜାତୀୟ ‘ମାର୍ସାଲ୍ ଆର୍ଟ’ ବା ଆତ୍ମରକ୍ଷା ନିମିତ୍ତ ଯୁଦ୍ଧ ବିଦ୍ୟା। ଏଥିରେ ଲୋକେ ଖାଲି ହାତ ଓ ପାଦରେ ଲଢ଼େଇ କରନ୍ତି। କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ଦେଶମାନଙ୍କ ମଧ୍ୟରେ ଆମେରିକା ସବୁଠୁ ପ୍ରଭାବିତ ଦେଶ। ଏଠାରେ ୨. ୨ ନିୟୁତ ଲୋକ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଓ ୧, ୧୯୦୦୦ ଜଣଙ୍କର ମୃତ୍ୟୁ ଘଟିଲାଣି।