ଢ଼େଙ୍କାନାଳ: ଗୋଟିଏ ପୋଲିସ ଜିପ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଯାହାଫଳରେ ଜଣେ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଥିବା ଜଣାପଡିଛି । ଏଭଳି ଘଟଣା ଗତକାଲି ଢ଼େଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ ଘଟିଛି ।
ଓଏସଏପି ଫାଷ୍ଟ ବାଟାଲିୟନର ଡେପୁଟି ସୁବେଦାର ଥିବା ଭିକାରୀ ଚରଣଙ୍କର ମୃତ୍ୟୁ ହୋଇଛି । ଆହତମାନେ ହେଲେ ଫାଷ୍ଟ ବାଟାଲିୟନର ହୃଷିକେଶ ସିଂହ, ରାଜେନ୍ଦ୍ର ବିଶ୍ୱାଳ ଓ ଅଶ୍ୱିନୀ ରାଉତ।
ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁର୍ଘଟଣା ହୋଇଛି। ଏହି ପୁଲିସ୍ କର୍ମଚାରୀମାନେ କଟକରୁ ଏକ ମିଟିଂ ସାରି ପୁଲିସ୍ ଜିପ୍ରେ ଢେଙ୍କାନାଳ ଫେରୁଥିଲେ। ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ୍ ନିକଟରେ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ସେମାନଙ୍କ ଜିପ୍ର ମୁହାଁମୁହିଁ ଧକ୍କା ହୋଇଥିଲା।
ଘଟଣାସ୍ଥଳରେ ଭିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୩ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଟ୍ରକ୍ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।