ଦେବଗଡ଼ ଟ୍ରିପଲ ମର୍ଡରର ପର୍ଦ୍ଦାଫାସ

ଦେବଗଡ : ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଜଙ୍ଗଲ ରୁ ଚଳିତ ମାସ ନଅ ତାରିଖରେ ତିନୋଟି ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ଶବ ମଧ୍ୟରେ ଜଣେ ମହିଳା ଙ୍କ ଅଣ୍ଟାରୁ ତଳକୁ କଟାଯାଇଥିବା ଏକ ଶବ ରହିଥିବା ବେଳେ ଅନ୍ୟ ଦୁଇଟି ଛୋଟ କନ୍ୟା ଶିଶୁ ଙ୍କ ଶବ ରହିଥିଲା । ବାରକୋଟ ପୋଲିସ ଘଟଣା ର ଅନୁସନ୍ଧାନ କରି ହତ୍ୟା ର ମୂଖ୍ୟ ଅଭିଯୁକ୍ତ ସମେତ ତିନି ଜଣ ଙ୍କୁ ଗିରଫ କରିଛନ୍ତି ।

ଦେବଗଡ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିରୋଇ ଗ୍ରାମ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଜଣେ ମହିଳା ସମେତ ଦୁଇ ଜଣ ଶିଶୁଙ୍କ ଅର୍ଦ୍ଧ ଗଳିତ ମୃତ ଦେହ ଉଦ୍ଧାର ଘଟଣା ର ପର୍ଦ୍ଦାଫାସ ହୋଇଛି । ଖୋଦ୍ ମହିଳା ଙ୍କ ସ୍ବାମୀ ଓ ଶିଶୁ ଦ୍ବୟଙ୍କ ପିତା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି । ବାରକୋଟ ଥାନା ଅନ୍ତର୍ଗତ ବଡତଇଲା ଗ୍ରାମ ର ସୋମନାଥ ପ୍ରଧାନ ଙ୍କ ବଡ ପୁଅ ବିକ୍ରମ କୁମାର ପ୍ରଧାନ ଜିଲ୍ଲା ବାହାରେ ବିଭିନ୍ନ ବେସରକାରୀ ସଂସ୍ଥା ରେ କାମ କରୁଥିବା ବେଳେ ୨୦୧୫ ମସିହା ରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳର ରାଜୁ ଖାନ ଓ ସୁବର୍ଣ୍ଣ ଖାନ ଙ୍କ ଝିଅ ନିକି ଓରଫ ନୂରୁନ ଙ୍କୁ ଭଲପାଇ ରେଜେଷ୍ଟ୍ରି ବିବାହ କରିଥିଲେ । ସେମାନଙ୍କ ର ଚାରି ବର୍ଷ ର ଗାୟତ୍ରୀ ଓ ତିନି ମାସ ର କଲ୍ୟାଣୀ ନାମକ ଦୁଇଟି କନ୍ୟା ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ । ପରେ ସ୍ବାମୀ ବିକ୍ରମର ଅନ୍ୟ ଝିଅ ସହ ଖରାପ ସଂମ୍ପର୍କ କୁ ନେଇ ଉଭୟ ଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏପଟେ ଉଭୟ ଙ୍କ ଜାତି ଅଲଗା ହୋଇ ଥିବାରୁ ବିକ୍ରମ ସ୍ତ୍ରୀ ନିକି କୁ ନିଜ ଘରକୁ ନେଇ ପାରୁନଥିଲେ। ଏହାରି ଭିତରେ ବିକ୍ରମ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ରାସ୍ତା ରୁ ହଟାଇବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ ।

ଚଳିତ ବର୍ଷ ଅକ୍ଟୋବର ମାସ ୧୭ ତାରିଖରେ ବିକ୍ରମ ନିଜ ସ୍ତ୍ରୀ ଓ ଦୁଇ ଶିଶୁଙ୍କୁ ବ୍ରଜରାଜନଗର ଠାରୁ ଆଣି ସମ୍ବଲପୁର ଠାରେ ଏକ ହୋଟେଲ ରେ ରଖିଥିଲେ । ପରେ ଯୋଜନା ମୁତାବକ ଏକ କାର ଭଡାକରି ବିଳମ୍ବିତ ରାତିରେ ସେମାନଙ୍କୁ ନିଜ ଗ୍ରାମ କୁ ଆଣିବା ପରେ ନିଜ ଭାଇ ଚିନ୍ମୟ ଶେଖର ପ୍ରଧାନ ସହାୟତା ରେ ବାଲିରୋଇ ଜଙ୍ଗଲ ରେ ହତ୍ୟା କରି ଗାତରେ ପୋତିଦେଇଥିଲେ। ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ସେନା ବାହିନୀ ରେ କାର‌୍ୟ୍ୟରତ ଥିବାବେଳେ ହତ୍ୟା କାଣ୍ଡ ପରେ ସେ ନିଜର କାର‌୍ୟ୍ୟସ୍ଥଳୀ ନାଗପୁର ଚାଲିଯାଇଥିଲେ। ଦେବଗଡ ଏସପି ରାହୁଲ ଜୈନ ଏହି ସୂଚନା ଦେଇଛନ୍ତି ।
ନଭେମ୍ବର ମାସ ନଅ ତାରିଖ ରେ ଜଙ୍ଗଲ ରେ ତିନି ଶବ ମିଳିବା ପରେ ବାରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

ଦେବଗଡ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତିନୋଟି ଟିମ୍ ଗଠନ କରାଯାଇଥିବା ବେଳେ ସେମାନେ ରାଜ୍ୟ ତଥା ରାଜ୍ୟ ବାହାରେ ତଦନ୍ତ କରି ଘଟଣା ର ପର୍ଦ୍ଦାଫାସ କରିଛନ୍ତି । ଏହି ଘଟଣାରେ ପୋଲିସ ମୂଖ୍ୟ ଅଭିଯୁକ୍ତ ବିକ୍ରମ ସମେତ ତାଙ୍କ ବାପା ସୋମନାଥ ପ୍ରଧାନ, ମାଆ ରୂପେଲୀ ପ୍ରଧାନ ଓ ତାଙ୍କ ସାଙ୍ଗ ନିକଟସ୍ଥ ସମରଖାଇ ଗ୍ରାମ ର ଅମର କୁମାର ସାମଲ ଙ୍କୁ ଗିରଫ କରିଛନ୍ତି । ଅନ୍ୟତମ ଅଭିଯୁକ୍ତ ଚିନ୍ମୟ ନିଜ କାର‌୍ୟ୍ୟସ୍ଥଳୀ ନାଗପୁର ରୁ ଫେରାର ହୋଇଯାଇଛି । ଗିରଫ ବିକ୍ରମ ଙ୍କ ମାଆ ରୂପେଲୀ ବଡତଇଳା ଗ୍ରାମ ରେ ଅଙ୍ଗନବାଡି କର୍ମୀ ଭାବେ କାର‌୍ୟ୍ୟ କରୁଥିବା ଜଣାପଡିଛି । ଏନେଇ ବାରକୋଟ ଥାନା ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ ଏସପି ରାହୁଲ ଜୈନ ସମସ୍ତ ସୂଚନା ଦେଇଛନ୍ତି ।