ତିନି ତଲାକ୍ ବିଲ୍ ପାସ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ତିନି ତଲାକ୍ ବିଲ୍ ଆଜି ଲୋକସଭାରେ ପାସ୍ ହୋଇଛି । ବିଲ୍କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବା ଲାଗି ଦାବି କରୁଥିବା ଓ ସଂଶୋଧନ ପ୍ରସ୍ତାବ ଆଣିଥିବା ବିରୋଧୀ ଦଳଗୁଡ଼ିକ ଏହି ସମୟରେ କକ୍ଷତ୍ୟାଗ କରିଥିଲେ । ମୁସ୍ଲିମ୍ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୮ ସପକ୍ଷରେ ୨୪୫ ଭୋଟ୍ ଓ ବିପକ୍ଷରେ ମାତ୍ର ୧୧ ଭୋଟ୍ ମିଳିବାରୁ ସଂସଦର ନିମ୍ନ ସଦନରେ ଏହା ଗୃହୀତ ହୋଇଛି । ଏହି ବିଲ୍କୁ ଏବେ ରାଜ୍ୟସଭାକୁ ଅନୁମୋଦନ ପାଇଁ ପଠାଯିବ । ସଂଶୋଧିତ ତିନି ତଲାକ୍ ବିଲ୍ ଲୋକସଭାରେ ଆଗତ କରି ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଲେ, ଏହି ବିଲ୍ ନେଇ କୌଣସି ରାଜନୀତି କରାଯିବା ଅନୁଚିତ । ଏହା କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୋଧରେ ଉଦ୍ଦିଷ୍ଟ ନୁହେଁ । ଏହାକୁ ରାଜନୈତିକ ଦୃଷ୍ଟିକୋଣରୁ ବିଚାର ନ କରି ମାନବିକତା ଓ ନ୍ୟାୟ ଦୃଷ୍ଟିରୁ ବିଚାର କରିବା ଯଥାର୍ଥ ହେବ । ବିରୋଧୀ ଦଳଗୁଡ଼ିକୁ ଆକ୍ଷେପ କରି ଆଇନମନ୍ତ୍ରୀ କହିଲେ, ଭୋଟ୍ ବ୍ୟାଙ୍କ୍ ରାଜନୀତିକୁ ଦୃଷ୍ଟିରେ ରଖି ବିଲ୍ ପାସ୍ କରାଯିବାରେ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି ।

ପୂର୍ବରୁ ଲୋକସଭାରେ ପାସ୍ ହୋଇଥିବା ବିଲ୍ ସ୍ଥାନରେ ଏହି ନୂଆ ବିଲ୍ ଅଣାଯାଇଛି । ଏହି ବିଲ୍ର ବ୍ୟବସ୍ଥା ଅନୁଯାୟୀ ତିନି ତଲାକ୍ ପ୍ରଥାକୁ ଫୌଜଦାରୀ ଅପରାଧ ଭାବେ ବିବେଚନା କରାଯିବ ଏବଂ ଏଥିରେ ଦୋଷୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଗତ ସେପ୍ଟେମ୍ବରରେ ଏ ସଂକ୍ରାନ୍ତରେ ଏକ ଅଧ୍ୟାଦେଶ ଜାରି ହୋଇଥିଲା । ଏହାକୁ ହଟାଇବା ପାଇଁ ଡିସେମ୍ବର ୧୭ରେ ଲୋକସଭାରେ ଏହି ସଂଶୋଧିତ ବିଲ୍ ଆଗତ ହୋଇଥିଲା । ପ୍ରସ୍ତାବିତ ଆଇନ ଅନୁଯାୟୀ ତକ୍ରାଳ ତିନି ତଲାକ୍ ଦେଉଥିବା ସ୍ୱାମୀଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ହେବ । ରାଜ୍ୟସଭାରେ ଏହି ବିଲ୍କୁ କେତେକ ରାଜନୈତିକ ଦଳ ବିରୋଧ କରିବାରୁ ସରକାର ସେତେବେଳେ ସେଥିରେ କେତେକ ସଂଶୋଧନ ଆଣିଲେ । ଏପରିକି ଏଥିରେ ଜାମିନ୍ ମିଳିବାର ସୁବିଧା ରଖାଗଲା । ଲୋକସଭାରେ ଏହି ବିଲ୍ ଉପରେ ଦୀର୍ଘ ବିତର୍କ ଉପରେ ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଉତ୍ତର ଦେଇସାରିବା ମାତ୍ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଏଆଇଏଡିଏମ୍କେ ଓ ଆର୍ଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ । ବିରୋଧୀ ଦଳଗୁଡ଼ିକ ଏକାଧିକ ସଂଶୋଧନ ପ୍ରସ୍ତାବ ଆଣିଥିଲେ ମଧ୍ୟ ଭୋଟ୍ ବିଭାଜନ ଦ୍ୱାରା ତାହା କାଟ୍ ଖାଇଥିଲା ।

ବିଲ୍କୁ ଅନୁଧ୍ୟାନ ପାଇଁ ସିଲେକ୍ଟ କମିଟିକୁ ପଠାଯିବା ଲାଗି ବିରୋଧୀ ଦଳର ଦାବି ଉପରେ ଆଇନମନ୍ତ୍ରୀ କହିଲେ, ସରକାର ସଦସ୍ୟମାନଙ୍କ ଆପତ୍ତିଗୁଡ଼ିକୁ ବିଚାରକରି ବିଲ୍ରେ ସଂଶୋଧନ ଆଣିଛନ୍ତି । ତେଣୁ ଏହାକୁ ସିଲେକ୍ଟ କମିଟିକୁ ପଠାଯିବାର ଆଉ ଆବଶ୍ୟକତା ନାହିଁ । ବିଲ୍ର ବ୍ୟବସ୍ଥା ଅନୁଯାୟୀ କୌଣସି ବ୍ୟକ୍ତି ଏବଂ ତାଙ୍କର ପରିତ୍ୟକ୍ତା ପତ୍ନୀ ବୁଝାମଣା ଚାହିଁଲେ ମାମଲା ପ୍ରତ୍ୟାହାର କରାଯାଇ ପାରିବ । ୨୦୧୭ ଜାନୁଆରୀରୁ ଏ ପର୍ଯ୍ୟନ୍ତ ୪୭୭ଟି ତିନି ତଲାକ୍ ମାମଲା ରିପୋର୍ଟ ହୋଇଛି । ଜଣେ ପ୍ରଫେସର ତାଙ୍କର ପତ୍ନୀଙ୍କୁ ହ୍ୱାଟ୍ସଆପ୍ରେ ତିନି ତଲାକ୍ ଦେଇଥିବା ନଜରକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ଯୋଗଦେବାରୁ ପତ୍ନୀଙ୍କୁ ଜଣେ ମୁସ୍ଲିମ୍ ବ୍ୟକ୍ତି ତଲାକ୍ ଦେବା ପରିତାପର ବିଷୟ । ତେଣୁ ଏହାକୁ ରୋକିବାକୁ ହେଲେ ସମଗ୍ର ଗୃହ ଏକଜୁଟ୍ ହେବା ଦରକାର ବୋଲି ଆଇନମନ୍ତ୍ରୀ ରବିଶଙ୍କର କହିଥିଲେ । ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ୍ଗେ ତିନି ତଲାକ୍ ବିଲ୍କୁ ବିରୋଧ କରି କହିଲେ ଏହା ସମ୍ବିଧାନର ମୌଳିକ ସିଦ୍ଧାନ୍ତକୁ ବିରୋଧ କରୁଛି ଏବଂ ବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଙ୍ଘନ କରୁଛି । କଂଗ୍ରେସ ସାଂସଦ ସୁସ୍ମିତା ଦେବ କହିଲେ, ଏହି ବିଲ୍ର ପ୍ରକୃତ ଉଦ୍ଦେଶ୍ୟ ମୁସ୍ଲିମ୍ ମହିଳାଙ୍କୁ ସଶକ୍ତ କରିବା ନୁହେଁ, ବରଂ ମୁସ୍ଲିମ୍ ପୁରୁଷଙ୍କୁ ଦଣ୍ଡିତ କରିବା ମୁଖ୍ୟ ଉଦ୍ଦେଶ୍ୟ ।

ଏଆଇଏଡିଏମ୍କେ ନେତା ପି ବେନୁଗୋପାଲ, ଟିଏମ୍ସି ସଦସ୍ୟ ସୁଦୀପ ବନ୍ଦୋପାଧ୍ୟାୟ, ଏଆଇଏମ୍ଆଇଏମ୍ ସଦସ୍ୟ ଅସାଦୁଦ୍ଦିନ୍ ୱେଏସି ଓ ସୁପ୍ରିୟା ସୁଲେ (ଏନ୍ସିପି) ମଧ୍ୟ ଅନୁରୂପ ଦାବି କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଲେ, ଯଦି ପାର୍ଲାମେଣ୍ଟ ଯୌତୁକ ଓ ସତୀ ପ୍ରଥାକୁ ବ୍ୟାନ୍ କରି ଆଇନ ପ୍ରଣୟନ କରିପାରୁଛି, ତାହାହେଲେ ତିନି ତଲାକ୍ ବିଲ୍ କାହିଁକି ପାସ୍ ହେବ ନାହିଁ? ଏହି ବିଲ୍ର ଆଇନଗତ ବ୍ୟବସ୍ଥାକୁ ଦୃଢ଼ ସମର୍ଥନ ଜଣାଇଥିଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକ୍ଭି । ଲୋକସଭାରେ ଏହି ବିଲ୍ ପାସ୍ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହାକୁ ସ୍ୱାଗତ କରିଛନ୍ତି । ଶାହ କହିଛନ୍ତି, ମୁସ୍ଲିମ୍ ମହିଳାଙ୍କ ପ୍ରତି କଂଗ୍ରେସ ଯେଉଁ ଅବିଚାର କରିଆସିଛି, ସେଥିପାଇଁ କ୍ଷମା ମାଗିବା ଉଚିତ ।