ଆଜି ଲୋକସଭାରେ ଉପସ୍ଥାପନା ହେବ ତିନି ତଲାକ ବିଧେୟକ

ନୂଆଦିଲ୍ଲୀ:ସପ୍ତଦଶ ଲୋକସଭାରେ ମୋଦୀ ସରକାରଙ୍କ ପକ୍ଷରୁ ଆଜି ‘ତିଲ  ତଲାକ’(ତଲାକ ଏ ବିଦତ) ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନୂତନ ବିଧେୟକ ଉପସ୍ଥାପନ  କରାଯିବ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୭ମ ଲୋକସଭାର ପ୍ରଥମ ଅଧିବେଶନରେ ଏହା ପ୍ରଥମ ବିଲ ହେବ। କେନ୍ଦ୍ର କାନୁନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପନ କରିବେ। ଅନ୍ୟ ପଟେ ବିଜେପି ପାଇଁ ଏହି ବିଲ ସଂସଦରେ ପାରିତ କରାଇବା ବଡ଼ ଚ୍ୟାଲେଞ୍ଜିଂ ରହିବ। ତେଣୁ ଗୃହରେ ଆଜି ପ୍ରବଳ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି।

କେନ୍ଦ୍ର ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ଏହା ପ୍ରଥମ ଅଧିବେଶନ। ଜୁନ ୧୭ରୁ ଆରମ୍ଭ ହୋଇଥିବା ଅଧିବେଶନ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ୩୦ ବୈଠକ ହେବ। ଏହା ସହିତ ଜୁଲାଇ ୫ରେ ବଜେଟ୍ ଉପସ୍ଥାପନ କରାଯିବ। ଅନ୍ୟ ପଟେ ପ୍ରଚଣ୍ଡ ବହୁମତ ସହ  କ୍ଷମତାକୁ ଆସିଥିବା ମୋଦୀ ସରକାରଙ୍କୁ ଲୋକସଭାରେ ଏହି ବିଲ୍ ପାରିତ କରିବାରେ କୌଣସି  ସମସ୍ୟା ହେବ ନାହିଁ। ମାତ୍ର ଏହି ବିଧେୟକକୁ ରାଜ୍ୟସଭାରେ ପାରିତ କରାଇବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ମୋଦୀ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ହେବାକୁ ଥିବା ଏହି ବିଲ୍ ଗତ ଏନଡିଏ ସରକାର ଦ୍ଵାରା ଫେବୃଆରୀରେ  ଜାରି ଏକ ଅଧ୍ୟାଦେଶର ସ୍ଥାନ ନେବ। ଗତ ମାସରେ ୧୬ତମ ଲୋକସଭା ଭଙ୍ଗ ହେବା ପରେ ଗତ ବିଧେୟକ ପ୍ରଭାବହୀନ  ହୋଇ ପଡିଥିଲା। କାରଣ ଏହା ରାଜ୍ୟସଭାରେ ପଡି ରହିଥିଲା। ଉଲ୍ଲେଖଯୋଗ୍ୟ, ଲୋକସଭାରେ କୌଣସି ବିଧେୟକ ପାରିତ ହେବା ପରେ ଏବଂ ରାଜ୍ୟସଭାରେ ପଡ଼ି ରହିବା ସ୍ଥିତିରେ ଲୋକସଭା ଭଙ୍ଗ ହେଲେ ଉକ୍ତ ବିଧେୟକ ସ୍ଵତଃ ଭାବେ ପ୍ରଭାବହୀନ  ହୋଇପଡ଼େ।