ଜମିବାଡ଼ି ବିବାଦକୁ ନେଇ ଗଡ଼ିଲା ୩ ମୁଣ୍ଡ; ଝିଅ-ଜ୍ବାଇଁ ଓ ଶାଶୁଙ୍କୁ ନୃସଂଶ ହତ୍ୟା

କୁଚିଣ୍ଡା: କୁଚିଣ୍ଡା ବ୍ଲକ ଅନ୍ତର୍ଗତ ମହୁଲପାଲି ଥାନା ଅଧୀନ ଲପଡା ଗ୍ରାମରେ ଜମିବାଡ଼ି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ୩ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ସରସ୍ୱତୀ ବେହେରା, ପିରବତୀ ବେହେରା ଓ ଗିରିଧାରୀ ସାହୁ। ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ମୁଖ୍ୟ ଅଭିଯୁକ୍ତ ନବୀନ ଦେହୁରୀ ଓ ତାଙ୍କ ପୁଅ ମଣ୍ଟୁକୁ ଅଟକ ରଖି ପଚରା ଉଚରା କରୁଛି।

ସୂଚନା ଅନୁସାରେ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ମହୁଲପାଲି ଥାନା ଅଧୀନ ଲପଡା ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୩ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିରିମିରା ଗାଁର ଗିରିଧାରୀ ସାହୁ ଲପଡ଼ା ଗାଁର ସରସ୍ୱତୀ ଦେହୁରୀଙ୍କୁ ବିବାହ କରିଥିଲେ। ନିଜର ଶଳା ନ ଥିବାରୁ ଗିରିଧାରୀ ଶ୍ୱଶୁର ଘରେ ଘରଜ୍ୱାଇଁ ଥିଲେ। କିନ୍ତୁ ଗିରିଧାରୀଙ୍କ ଶଶୁର ଘର ଜମି ଉପରେ ପଡୋଶୀ ନବୀନର ଆଖି ପଡ଼ିଥିଲା। ନବୀନ ଏହି ଜମି ନିଜର ନାଁରେ କରିନେବାକୁ ଉଦ୍ୟମ କରିଥିଲା, ଯେଉଁଥି ପାଇଁ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଫଳରେ ଏହି ଜମିବାଡିକୁ ନେଇ ବିବାଦ ଲାଗି ରହିବା ସହ ଦୀର୍ଘ ଦିନରୁ ଅସନ୍ତୋଷ ରହିଥିଲା।
ସୁଯୋଗ ଦେଖି ନବୀନ ଦେହୁରୀ ଆଜି ଗିରିଧାରୀ ସାହୁ, ତାଙ୍କର ସ୍ତ୍ରୀ ସରସ୍ୱତୀ ବେହେରା ଓ ଶାଶୁ ପିରବତୀ ବେହେରାଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲା ବୋଲି ଅନୁମାନ କରାଯାଉଛି । ଅପରାହ୍ନ ସମୟରେ ଅତି ଜଘନ୍ୟ ଭାବେ ମା’-ଝିଅଙ୍କୁ ଯାତ୍ରା ମଣ୍ଡପରେ ହତ୍ୟା କରିଥିବା ବେଳେ ଜମିକୁ ଯାଇଥିବା ଗିରିଧାରୀଙ୍କୁ ସେଠାରେ ନବୀନ ପହଂଚି କୁରାଢ଼ୀରେ ଅତି ନିର୍ଦ୍ଦୟ ଭାବେ ହାଣିଥିଲା।

ଏହି ଘଟଣା ଘଟାଇବା ପରେ ଅଭିଯୁକ୍ତ ନବୀନ ବେହେରା ଆତଙ୍କରାଜ ସୃଷ୍ଟି କରିଥିଲା। ସୂଚନା ପାଇ ମହୁଲପାଲି ଥାନା ଆଇଆଇସି ଜ୍ୟେସ୍ନା ବେହେରା ଓ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର ଘଟଣାସ୍ଥଳରେ ପହଂଚିଛନ୍ତି। ପୁଲିସ ୩ଟି ମୃତଦେହ ଜବତ କରି ଏକ ମାମଲା ରୁଜୁ କରିବା ସହିତ ନବୀନ ବେହେରା ଓ ତା’ର ପୁଅ ମଣ୍ଟୁକୁ ଅଟକ ରଖିଛି।