ସାମ୍ନାକୁ ଆସିଲା ୪ ଆକ୍ରାନ୍ତଙ୍କ ଯାତ୍ରା ତାଲିକା

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ୪ କରୋନା ପିଜିଟିଭଙ୍କ ଯାତ୍ରା ଇତିହାସ ସାମ୍ନାକୁ ଆସିଛି । ଏଥିରେ ପ୍ରଥମ କରି ୧୦ ବର୍ଷରୁ କମ୍ ବୟସର ୨ଜଣ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହି ଦୁଇ ଶିଶୁ କନ୍ୟାଙ୍କ ବୟସ  ଯଥାକ୍ରମେ ୯ ଓ ୫ ବର୍ଷ।  ସାଧାରଣ ଭାବେ ଧାରଣା ରହିଥିଲା ଯେ ଶିଶୁମାନେ ସହଜରେ କରୋନା ସଂକ୍ରମିତ ହୁଅନ୍ତି ନାହିଁ ବା କ୍ୱଚିତ୍ ହୁଅନ୍ତି, ମାତ୍ର ଆଜିର ସୂଚନା ଏହାକୁ ଭୁଲ ପ୍ରମାଣିତ କରିଛି।

ଆଲୋଚ୍ୟ ୪ ଆକ୍ରାନ୍ତଙ୍କ  ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାର ହୋଇଥିବା ବେଳେ ଅନ୍ୟ ତିନି ଜଣ ଭୁବନେଶ୍ୱରର ଝାରପଡ଼ା ଅଂଚଳର ବୋଲି ଜଣାପଡ଼ିଛି । ରାଜ୍ୟର ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ଘର କଳାହାଣ୍ଡି ଜିଲ୍ଲାର ବାସିନ୍ଦା ଓ ସେ ଜିଲ୍ଲାର ପ୍ରଥମ ଆକ୍ରାନ୍ତ ବାହାରିନ ଫେରନ୍ତା ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବେହେରାଗୁଡ଼ାର ୨୦ ବର୍ଷିଅ ଯୁବକ ମାର୍ଚ୍ଚ ୨୦ ଓ ୨୧ ଅପରାହ୍ଣରେ ସାଙ୍ଗମାନଙ୍କ ସହ ମିଶିଥିଲେ । ଏହା ପରେ ସେ ମାର୍ଚ୍ଚ ୨୨ରୁ ୨୪ ଯାଏଁ ଘରେ ଥିଲେ । ମାର୍ଚ୍ଚ ୨୫ରେ ସେ ଗାଁର ଗ୍ରୋସରୀ ଦୋକାନକୁ ଯାଇଥିଲେ । ଏହା ପରେ ସେ ମାର୍ଚ୍ଚ ୨୬ରୁ ଏପ୍ରିଲ ୩ ଯାଏଁ ବାହାରକୁ ଯାଇ ନଥିଲେ ।

ଏପ୍ରିଲ ୪ରେ ବାହାରିନ ଫେରନ୍ତା ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ । ସେଦିନ ସେ ଘରୁ କୁଆଡେ ଯାଇ ନ ଥିଲେ । ଏପ୍ରିଲ ୫ରେ ସେ କ୍ୱାରେଂଟାଇନ୍ ସେଂଟର କୁ ସ୍ଥାନାନ୍ତର ହୋଇଥିଲେ । ଏପ୍ରିଲ ୯ରେ ତାଙ୍କର ନମୁନା ସଂଗ୍ରହ ହୋଇଥିଲା ଏବଂ ସେଦି ଦିନ ପଜିଟିଭ ଚିହ୍ନଟ ହୋଇଥିଲା । ତାଙ୍କୁ ଏପ୍ରିଲ ୧୦ରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି  ଅନ୍ୟ ତିନି ଜଣ କରୋନା ପଜିଟିଭ ରାଜଧାନୀ ଭୁବନେଶ୍ୱରର ଝାରପଡ଼ା ଅଂଚଳର ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରୁ ଜଣେ ୪୬ ନମ୍ବର ଆକ୍ରାନ୍ତ ହେଉଛନ୍ତି ଜଣେ ୩୭ ବର୍ଷୀୟ ମହିଳା, ୪୭ ନମ୍ବର କରୋନା ଆକ୍ରାନ୍ତ ଜଣେ ୯ବର୍ଷର ଝିଅ ହୋଇଥିବା ବେଳେ ୪୮ ନମ୍ବର ଆକ୍ରାନ୍ତ ଜଣେ ୫ ବର୍ଷର ଝିଅ । ଏମାନେ ୪୨ ନମ୍ବର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂପର୍କୀୟ । ଏମାନେ ମାର୍ଚ୍ଚ ୨୨ରୁ ଏପ୍ରିଲ ୩ ମଧ୍ୟରେ ଘରେ ଥିଲେ । ଏପ୍ରିଲ ୪-୫ରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ୪୨ ନମ୍ବର ପଜିଟିଭ ଆକ୍ରାନ୍ତଙ୍କୁ ଭେଟିବାକୁ ଯାଇଥିଲେ । ଏହା ପରେ ଏପ୍ରିଲ ୬ ରୁ ୯ ମଧ୍ୟରେ ହୋମ୍ ‌କ୍ୱାରେଂଟାଇନ୍ ରେ ରହିଥିଲେ । ସେମାନଙ୍କ ଠାରୁ ଏପ୍ରିଲ ୮ରେ ନମୁନା ସଂଗ୍ରହ କରାଯାଇଥିଲା । ଏପ୍ରିଲ ୯ରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏବେ ସେମାନଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।