ରାଜଧାନୀରେ ବାଘ ଆତଙ୍କ: ଫେଲ ମାରିଛି ଅପରେସନ୍ ଲିଓପାର୍ଡ ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ୱର: ଗତକାଲି ଠାରୁ ରାଜଧାନୀରେ ବାଘ ଆତଙ୍କ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି । ତେବେ ଭୁବନେଶ୍ୱର ବିମାନବନ୍ଦର ନିକଟ ଜଙ୍ଗଲରେ ବାଘ ବୁଲୁଥିବା ସୂଚନା ମିଳିବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଥିଲା ଅପରେସନ ଲିଓପାର୍ଡ । ମାତ୍ର ଅପରେସନ ଲିଓପାର୍ଡର ପ୍ରଥମ ପର୍ଯ୍ୟାୟ ଫେଲ ମାରିଛି । ନନ୍ଦନକାନନରୁ ଆସିଥିବା ସ୍ୱତନ୍ତ୍ର ଟ୍ରାଙ୍କୁଲାଇଜର ଟିମ ବାଘ ଧରିବାକୁ ଉଦ୍ୟମ କରୁଛନ୍ତି । ଜନ୍ତା ମଧ୍ୟ ଆସିଛି । ଓୟୁଏଟିର ବିଶେଷଜ୍ଞ ଦଳ ବି ଆସିଛନ୍ତି । କଲରାପତରିଆ ବାଘକୁ ସେମାନେ ଟ୍ରାଙ୍କ୍ୟୁଲାଇଜ୍‌ କରି ଧରିବାକୁ ମନସ୍ଥ କରିଛନ୍ତି। ରାତି ଯୋଗୁଁ ଟ୍ରାଙ୍କ୍ୟୁଲାଇଜିଙ୍ଗ୍‌ରେ ଅସୁବିଧା ଥିବାରୁ ଗତରାତିରେ ତାହା ସମ୍ଭବପର ହୋଇ ନ ଥିଲା। ଯଦି ଟ୍ରାଙ୍କ୍ୟୁଲାଇଜ୍‌ ଦ୍ୱାରା ସେ ଜନ୍ତୁଟି ଧରି ନ ହୁଏ ତେବେ ଟ୍ରାପିଙ୍ଗ୍‌ ବା ଜନ୍ତା ଓ ଜାଲ ବସା ଯାଇ ତାହାକୁ ଧରିବାକୁ ଉଦ୍ୟମ କରାଯିବ। ଗତକାଲି ଭୁବନେଶ୍ୱର ପଳାସପଲୀ ଅଂଚଳରେ ସିସିଟିଭିରେ କଲରାପତରିଆ ବାଘ ବୁଲୁଥିବାର ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଂଚଳର ଲୋକ ଆତଙ୍କିତ ହୋଇପଡିଛନ୍ତି । ବାଘ ରହିଥିବା ସ୍ଥାନକୁ ଘେରିରହିଛନ୍ତି ସୁରକ୍ଷାକର୍ମୀ । ବାଘଟି ବିମାନବନ୍ଦର ନିକଟରେ ଥିବା ରିଲାନ୍ସ ଆଭିଏସନ ପାଖ ଜଙ୍ଗଲରେ ଥିବା ନେଇ ଭବନେଶ୍ୱର ରେଂଜ ଇନଚାର୍ଜ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି । ରାତି ୪ଟାରେ ବାଘଟିକୁ ସିଆଇଏସଏଫ ଯବାନ ଦେଖିଥିବା ସେ କହିଛନ୍ତି । ରା୍ତି ସାରା ସେହି ଅଂଚଳରେ ପାଟ୍ରୋଲିଂ କରିଛି ବନ ବିଭାଗର ଟିମ୍ । ସ୍ଥାନୀୟ ଅଂଚଳର ଲୋକମାନେ ମଧ୍ୟ ରାତିସାରା ଅନିଦ୍ରା ରହି ବାଘ ଖୋଜିଛନ୍ତି । ବନ ବିଭାଗର ୩ଟି ଟିମ୍ ଓ ନନ୍ଦନକାନନର ଗୋଟିଏ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି ।