କଟକ: ଆଜି ସକାଳେ କଟକ ଜିଲ୍ଲା ଅନ୍ତର୍ଗତ ଶାଳଗାଁ ଷ୍ଟେସନ ନିକଟରେ ଲୋକମାନ୍ୟ ତିଲକ ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍ ପାସେଞ୍ଜର ବଗିକୁ ଛାଡି ଇଞ୍ଜିନ୍ ଅଲଗା ହୋଇ ଯାତ୍ରା କଲା । ଯାହା ଫଳରେ ଟ୍ରେନ୍ ଅଳ୍ପକେ ଦୁର୍ଘଟଣାରୁ ବର୍ତିଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ପୁରୀରୁ ମୁମ୍ବାଇ ଯାଉଥିବା ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟରେ ଆଜି ସକାଳେ କଟକ ଷ୍ଟେସନ୍ ଛାଡ଼ିଥିଲା। ଏହାପରେ ପାଖାପାଖି ୮ଟା ୧୫ ମିନିଟ୍ ସମୟରେ ଏହି ଟ୍ରେନ୍ ଶାଳଗାଁ ଷ୍ଟେସନରେ ପହଂଚିଥିଲା। ତା’ପରେ ସେଠାରୁ ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଛାଡ଼ିବା ବେଳେ ଭୁଲବଶତଃ ଟ୍ରେନର ଇଞ୍ଜିନ୍ କେବଳ ଗୋଟିଏ ବଗିକୁ ନେଇ ଯାତ୍ରା କରିଥିଲା। କିଛି ମିନିଟ୍ ପରେ ଏହା ଚାଳକ ଜାଣିପାରିଥିଲେ।
ପୁଣି ପାଖାପାଖି ୫ ମିନିଟ୍ ପରେ ଇଞ୍ଜିନ୍ ଫେରି ସମସ୍ତ ବଗିକୁ ଧରି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ଏହାଫଳରେ ଟ୍ରେନର ଯାତ୍ରା ବିଳମ୍ବିତ ହୋଇଥିଲା। ତେବେ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତିଯାଇଛି ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।