ଓଡ଼ିଶା ଦେଇ ଯାଉଥିବା କେତେକ ଟ୍ରେନ୍‌ର ନୂଆ ରହଣି ସ୍ଥାନ ଘୋଷଣା କଲେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ସୋମବାର ପୂର୍ବାହ୍ନରେ ସ୍ଥାନୀୟ ରେଳବାଇ ଅଡିଟରିୟମ୍‌ରେ ପେଟ୍ରୋଲିୟମ୍‌, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ତଥା ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ମନୋଜ ସିହ୍ନା ସୋମବାର ଦିନ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ କେତେକ ରେଳବାଇ ସୁବିଧାର ଉଦ୍‌ଘାଟନ କରିବା ଅବସରରେ ଓଡ଼ିଶା ଦେଇ ଯାତାୟାତ କରୁଥିବା କେତେକ ଟ୍ରେନ୍‌ର ନୂତନ ରହଣି ସ୍ଥାନ ବିଷୟ ଘୋଷଣା କରିଛନ୍ତି। ସମ୍ବଲପୁରବାସୀଙ୍କ ଲାଗି ଖୁସୀ ଖବର ଦିଲ୍ଲୀ-ରାଏଗଡ଼ ଗୋଣ୍ଡ୍‌ଓ୍ଵାନା ଏକ୍ସ୍‍ପ୍ରେସର ଗତିପଥ ସମ୍ପ୍ରସାରିତ ହୋଇଛି। ବର୍ତମାନ ଝାରସୁଗୁଡ଼ା ରୋଡ୍‌ ଦେଇ ଗୋଣ୍ଡ୍‌ଓ୍ଵାନା ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ ସମ୍ବଲପୁର ପର‌୍ୟ୍ୟନ୍ତ ଆସିବ। ଏହାଛଡ଼ା ସେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ନୂତନ ଏସ୍କେଲେଟର୍‌ର ଶିଳାନ୍ୟାସ ଓ ବ୍ରହ୍ମପୁର ରେଳବାଇ ଷ୍ଟେସନ୍‌ରେ ନୂଆ ଏସ୍କେଲେଟ୍‌ର ଓ ଫୁଟ୍‌ଓଭର୍‌ ବ୍ରିଜ୍‌ ଏବଂ ତାଳଚେର ରେଳ ଷ୍ଟେସନ୍‌ ସର୍କ୍ୟୁଲେଟିଙ୍ଗ୍‌ ଅଞ୍ଚଳର ଉନ୍ନତିକରଣ ଆଦି ଉଦଘାଟନ କରିଛନ୍ତି। ପୂର୍ବତଟ ରେଳବାଇକୁ ବିଭାଜନ କରିବାକୁ ରେଳମନ୍ତ୍ରାଳୟ କରୁଥିବା ଯୋଜନାକୁ ବିରୋଧ କରି ଅଡିଟରିୟମ୍‌ ବାହାରେ ପ୍ଲାକାର୍ଡ ଧରି ବିଜେଡି ତରଫରୁ ମନ୍ତ୍ରୀଙ୍କୁ ବିରୋଧ କରାଯାଇଥିଲା। ତାଳଚେର ଦେଇ ସପ୍ତାହକୁ ତିନି ଦିନ ସମ୍ବଲପୁରରୁ ଶାଲିମାର ଏକ୍ସପ୍ରେସ୍‌ ଚଳାଚଳ କରିବ।